କନକ ବ୍ୟୁରୋ: ସରକାରୀ ଚାକିରି ଖଣ୍ଡିଏ ପାଇବା ପାଇଁ ଲକ୍ଷ ଲକ୍ଷ ଯୁବକ-ଯୁବତୀ ଅପେକ୍ଷା କରିଥାନ୍ତି । ବର୍ଷ ବର୍ଷ ଧରି ପ୍ରସ୍ତୁତ ହେଇଥାନ୍ତି । କିନ୍ତୁ ସେହି ସରକାରୀ ଚାକିରି ଯେତେବେଳେ ଟଙ୍କା ବଦଳରେ ବିକ୍ରି ହେବା ଭଳି ଅଭିଯୋଗ ସାମନାକୁ ଆସେ ସେତେବେଳେ ଆଶାୟୀଙ୍କ ମନ ଭାଙ୍ଗିଯାଏ । ସେମାନେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାନ୍ତି । ଆଜି ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି ସେମିତି ପ୍ରତିବାଦ ।

Advertisment

ବଜାରରେ ନୁହେଁ ଧାରଣାସ୍ଥଳରେ ବିକ୍ରି ହେଉଛି କଦଳି । ଷ୍ଟାଫ୍ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ କଦଳି ବିକି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଚାକିରି ଆଶାୟୀ । ସରକାରୀ ଚାକିରି ବିକ୍ରି ହେଉଥିବା ଅଭିଯୋଗ କରିବା ସହ କଦଳି ବିକ୍ରି କରି ପରିବାର ଚଳାଇବେ ବୋଲି କହୁଛନ୍ତି ପ୍ରତିବାଦକାରୀ । ସିଭିଲ ଜେଇ ମେନ୍ ପାଇଁ ଓଏସଏସସି ଦ୍ୱାରା ପରିଚାଳିତ କମ୍ବାଇନଡ୍ ଟେକ୍ନିକାଲ ସର୍ଭିସ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ । ପରୀକ୍ଷା ପୂର୍ବରୁ କିଛି ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପାଇଥିବା ସହ ଲକ୍ଷାଧିକ ଟଙ୍କାର ଡିଲ ହୋଇଥିବା ଅଭିଯୋଗ କରିଛନ୍ତି ।

ଗତ ୧୬ ତାରିଖରେ ରାଜ୍ୟର ହଜାର ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । କିନ୍ତୁ ପରୀକ୍ଷା ପରେ ଜାଣିବାକୁ ପାଇଥିଲେ ଯେ, କମ୍ବାଇନଡ ଟେକ୍ନିକାଲ ସର୍ଭିସ ପରୀକ୍ଷାରେ ବଡ ବିଭ୍ରାଟ ହୋଇଛି । ବାଲେଶ୍ୱର ପୁଲିସ ପ୍ରଶ୍ନପତ୍ର ଡିଲ୍୍ ଘଟଣାର ପର୍ଦ୍ଦାଫାଶ କରିଛି । ତେବେ ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରିବା ପରେ ୮୮ ଜଣ ପରୀକ୍ଷାର୍ଥୀଙ୍କୁ ଆଗୁଆ ପ୍ରଶ୍ନପତ୍ର ମିଳିଥିବା ଅଭିଯୋଗ କରିଛନ୍ତି ଚାକିରି ଆଶୟୀ ।

ଓଡିଶାରୁ କଲିକତା ଓ ଆନ୍ଧ୍ରପ୍ରଦେଶ ଯାଏଁ ଲମ୍ବିଛି ପ୍ରଶ୍ନପତ୍ର ର୍ୟାକେଟର ଚେର । ଆଉ ପରୀକ୍ଷା ପୂର୍ବରୁ ଏଭଳି ଠକାମୀର ଜାଲ ବୁଣନ୍ତି ଠକ । ତେବେ ଓଡିଶା ଷ୍ଟାଫ ସିଲେକସନ କମିଶନର କିଛି କର୍ମଚାରୀ ଏଥିରେ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ପ୍ରତିବାଦକାରୀ ।