କୋଇଲା ପରିବହନ ପାଇଁ ରାସ୍ତା ନିର୍ମାଣ ଦାବିରେ ଜାରି ରହିଛି ଆନ୍ଦୋଳନ । ୧୨ ଦିନ ପରେ ବି ଜିଦରେ ଅଟଳ ଗ୍ରାମବାସୀ, ବିଫଳ ହେଲା ଜିଲ୍ଲାପାଳଙ୍କ ସହ ଆଲୋଚନା ।

163

କନକ ବ୍ୟୁରୋ : ୧୨ ଦିନରେ ବନ୍ଦ ପାଳନ । ଏମସିଏଲ-ଟପରିଆ ରାସ୍ତା ନିର୍ମାଣ ଏବଂ କୋଇଲା ପରିବହନ ବନ୍ଦ ଦାବିରେ ଆନ୍ଦୋଳନ ଜାରି ରହିଛି । ଫଳରେ ପଡୋଶୀ ଛତିଶଗଡକୁ ସଡକପଥରେ କୋଇଲା ପରିବହନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଏପଟେ ଗାଁ ଲୋକେ ସେମାନଙ୍କ ଦାବିରେ ଅଟଳ । ଏମସିଏଲ ସ୍ୱତନ୍ତ୍ର କୋଲ୍ କରିଡର ନିର୍ମାଣ କରି କୋଇଲା ପରିବହନ କରୁ, ଗାଁ ରାସ୍ତାରେ କୋଇଲା ପରିବହନ ସଂପୂର୍ଣ୍ଣ ବନ୍ଦ କରୁ । ଅନ୍ୟପଟେ ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏହା ବିଫଳ ହୋଇଛି ।

୧୨ ଦିନରେ ପହଞ୍ଚିଲା ରାସ୍ତା ପାଇଁ ଆନ୍ଦୋଳନ । ଆନ୍ଦୋଳନକାରୀ-ଜିଲ୍ଲାପାଳ ଆଲୋଚନା ବିଫଳ । ଏମସିଏଲ କୁଲଡା କୋଇଲା ଖଣି ଠାରୁ ଟପରିଆ ଦେଇ ଛତିଶଗଡ ସୀମା ପର୍ଯ୍ୟନ୍ତ ଦୀର୍ଘ ୨୨ କିଲୋମିଟର ରାସ୍ତା । ରାସ୍ତା ନୁହେଁ ତ ମରଣଯନ୍ତା ! ଦୀର୍ଘ ୨୫ ବର୍ଷ ହେବ ୯ଟି ପଞ୍ଚାୟତର ଲୋକଙ୍କ ଜୀବନ ଧୂଳିଧୂଆଁରେ ଦୁର୍ବିସହ ହୋଇପଡିଛି । ରାସ୍ତା ମରାମତି ଏବଂ ନିର୍ମାଣ ନେଇ ଅନେକ ଥର ଆନ୍ଦୋଳନ କରାଯାଇଛି । ହେଲେ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଏବେ କର ବା ମର ସ୍ଥିତିରେ ଆନ୍ଦୋଳନକାରୀ । ଆଉ ସେହି ରାସ୍ତାରେ କୋଇଲା ପରିବହନ କରି ଦିଆଯିବନାହିଁ ଜିଦରେ ୧୨ ଦିନ ହେଲା ଜାରି ରଖିଛନ୍ତି ଆନ୍ଦୋଳନ ।

ଆନ୍ଦୋଳନକାରୀଙ୍କ ଯୁକ୍ତି ହେଲା, ଏମସିଏଲ କୁଲଡା କୋଇଲା ଖଣି ସଂପ୍ରସାରଣ ସମୟରେ ଏମସିଏଲ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ କୌଣସି ଗାଁ ମଧ୍ୟ ଦେଇ କୋଇଲା ପରିବହନ କରାଯାଉନଥିବା ଦର୍ଶାଇଥିଲା । ସ୍ୱତନ୍ତ୍ର ବାଇପାସ ରୋଡରେ କୋଇଲା ପରିବହନ କରାଯାଉଥିବାରୁ ଗ୍ରାମବାସୀଙ୍କୁ କୌଣସି ପ୍ରକାର ବାୟୁ ଏବଂ ଶଦ୍ଦ ପ୍ରଦୂଷଣର ସମ୍ମୁଖୀନ ହେବାକୁ ପଡୁନଥିବା ମନ୍ତ୍ରଣାଳୟକୁ ଦର୍ଶାଇଛି । ତେବେ ସ୍ଥିତି ସଂପୂର୍ଣ୍ଣ ଓଲଟା ।

ଆନ୍ଦୋଳନକୁ ବନ୍ଦ କରିବାରେ ପ୍ରଶାସନିକ ଅଧିକାରୀ ବିଫଳ ହୋଇଛନ୍ତି । ଜିଲ୍ଲପାଳ କହିଛନ୍ତି, ଏମସିଏଲ ଦେଇଥିବା ମିଥ୍ୟା ତଥ୍ୟର ଅନୁସନ୍ଧାନ କରାଯିବ । ସେପଟେ ଗ୍ରାମବାସୀଙ୍କ ଦାବି ହେଲା, ଏମସିଏଲ ତାର ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରି କୋଇଲା ପରିବହନ କରୁ । ଏହାରି ଭିତରେ କୋଇଲା ପରିବହନ ଠପ୍ ହୋଇଥିବା ଯୋଗୁଁ ଏମସିଏଲକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ।