ନାଗରିକତା ବିଲକୁ ନେଇ ଉତ୍ତର ପୂର୍ବାଞ୍ଚଳରେ ଜଳୁଛି ପ୍ରତିବାଦର ନିଆଁ । ଆସାମରେ ରେଳ ଓ ବିମାନ ସେବା ଠପ୍, ଜାରିହେଲା କର୍ଫ୍ୟୁ, ବନ୍ଦ ହେଲା ଇଣ୍ଟରନେଟ୍ ।

124

କନକ ବ୍ୟୁରୋ : ନାଗରିକତା ସଂଶୋଧନ ବିଲ୍ ବିରୋଧରେ ଉତ୍ତର ପୂର୍ବାଞ୍ଚଳରେ ଜଳୁଛି ନିଆଁ । ଶାନ୍ତି ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ ସତ୍ୱେ ଥମୁନି ପ୍ରତିବାଦ । ଏହି ବିଲ୍ ରାଜ୍ୟସଭାରେ ପାସ୍ ହେବା ପରେ ଆସାମ, ତ୍ରୀପୁରା, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ଜୋର ଧରିଛି ପ୍ରତିବାଦ । ଆସାମର କୋଣ ଅନୁକୋଣରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ପରିସ୍ଥିତି ଉପରେ ନଜର ରଖିଛି ଗୃହ ମନ୍ତ୍ରାଳୟ ।

ନାଗରିକତା ସଂଶୋଧନ ବିଲ୍ ବିରୋଧରେ ତୀବ୍ର ପ୍ରତିବାଦ । ଉତ୍ତର ପୂର୍ବାଞ୍ଚଳରେ ଜଳୁଛି ପ୍ରତିବାଦର ନିଆଁ । ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ ସତ୍ୱେ ଥମୁନି ପ୍ରତିବାଦ । ଆସାମରେ ରେଳ ଓ ବିମାନ ସେବା ଠପ୍ ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ମୋବାଇଲ ଓ ଇଂଟରନେଟ୍ ସେବା ମଧ୍ୟ ବନ୍ଦ କରିଦିଆଯାଇଛି । ଛକ, ବଜାରରେ ମୁତୟନ ହୋଇଛନ୍ତି ସୁରକ୍ଷା କର୍ମୀ । ଗୌହାଟୀରେ କର୍ଫ୍ୟୁ ଲଗାଯାଇଥିବା ସତ୍ୱେ ପ୍ରତିବାଦ ଜାରି ରହିଛି । ପରିସ୍ଥିତି ଉପରେ ଗୃହ ମନ୍ତ୍ରାଳୟ ନଜର ରଖିଥିବା ବେଳେ ଆସାମ କ୍ୟାଡରର ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟକୁ ପଠାଯାଇଛି ।

ନାଗରିକତା ସଂଶୋଧନ ବିଲ୍, ୧୯୮୫ରେ ହୋଇଥିବା ଆସାମ ଚୁକ୍ତିର ଉଲ୍ଲ୍ଂଘନ ବୋଲି ଅଭିଯୋଗ କରି ଏହାକୁ ପ୍ରତିବାଦ କରାଯାଉଛି । ଏହା ସେଠାକାର ମୂଳ ନିବାସୀଙ୍କ ଭାବନା ଓ ହିତ ବିରୋଧୀ ବୋଲି ଅଭିଯୋଗ ହୋଇଛି ।

ଆସାମ ବାସିନ୍ଦାଙ୍କ ଭୟ
୧. ନୂଆ ଆଇନ ଆସିଲେ ବାଂଲାଦେଶରୁ ଆସିଥିବା ହିନ୍ଦୁଙ୍କୁ ନାଗରିକତା ମିଳିବ
୨. ଆସାମର ମୂଳ ବାସିନ୍ଦାଙ୍କ ଅଧିକାରକୁ ଚ୍ୟାଲେଞ୍ଜ ଦେବେ ବାଂଲାଦେଶୀ ହିନ୍ଦୁ
୩. ଆସାମର ମୂଳ ବାସିନ୍ଦାଙ୍କ ପରମ୍ପରା, ସଂସ୍କୃତି, ଭାଷା ଓ ରୀତିନୀତି ପ୍ରଭାବିତ ହେବ
୪. ଶରଣାର୍ଥୀଙ୍କୁ ନାଗରିକ ମାନ୍ୟତା ମିଳିଲେ ଅତିରିକ୍ତ ବୋଝ ଉଠାଇ ପାରିବନି ଆସାମ

ତେବେ ଆସନ୍ତୁ ଜାଣିବା ଆସାମ ଚୁକ୍ତି କ’ଣ ?

୧୯୭୯ ଲୋକସଭା ନିର୍ବାଚନରେ ମଙ୍ଗଳଦୋଇ ଆସନରୁ ହଠାତ ମତାଦାତାଙ୍କ ସଂଖ୍ୟା ବଢିବାରେ ଲାଗିଲା । ପରେ ବାଂଲାଦେଶରୁ ଆସିଥିବା ବେଆଇନ ଶରଣାର୍ଥୀଙ୍କ ଯୋଗୁଁ ଏହି ସଂଖ୍ୟାରେ ବୃଦ୍ଧି ହୋଇଥିବା ଜଣାପଡିଥିଲା । ଏହାପରେ ଆସାମର ମୂଳ ବାସିନ୍ଦା ବେଆଇନ ଶରଣାର୍ଥୀଙ୍କ ବିରୋଧରେ ହିଂସା ପ୍ରଦର୍ଶନ କରିଥିଲେ । ଯାହା ୬ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏହି ପ୍ରତିବାଦ ପ୍ରଦର୍ଶନରେ ୮୮୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହାପରେ ତତ୍କାଳିନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୮୫ରେ ଆସାମ ଚୁକ୍ତି କରିଥିଲେ । ଏହି ଚୁକ୍ତି ଅନୁଯାୟୀ ୧୯୭୧, ମାର୍ଚ୍ଚ ୨୫ ପରେ ଆସାମକୁ ଆସିଥିବା ବିଦେଶୀଙ୍କୁ ଚିହ୍ନଟ କରାଯାଇ ଦେଶରୁ ବାହାର କରିଦିଆଯିବ । ଅନ୍ୟ ରାଜ୍ୟର ଏହି ସମୟ ସୀମା ୧୯୫୧ ଥିଲା । ଏବଂ ନାଗରିକତା ସଂଶୋଧନ ବିଲ୍ ୨୦୧୯ରେ ଏହି ସମୟ ସୀମା ୨୦୧୪କୁ ଧାର୍ଯ୍ୟ କରାଯାଇଛି । ଏହି ପ୍ରସଙ୍ଗରେ ପ୍ରତିବାଦ ପ୍ରଦର୍ଶନକାରୀଙ୍କ କହିବା ହେଲା ଯେ, ନୂଆ ସମୟ ସୀମା ଯୋଗୁଁ ଆସାମ ଚୁକ୍ତିର ଉଲ୍ଲଂଘନ ହେଉଛି ।