ପ୍ରୋଟିନ ପାଉଡର ଖାଉଥିଲେ ସାବଧାନ! ଭାରତରେ ବିକ୍ରି ହେଉଥିବା ୧୫ପ୍ରତିଶତ ପ୍ରୋଟିନ ପାଉଡର ଅସୁରକ୍ଷିତ

218

କନକ ବ୍ୟୁରୋ : ଆପଣ ମଧ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ପ୍ରୋଟିନ ପାଉଡର ସେବନ କରୁଛନ୍ତି କି? ଯଦି ହଁ ତେବେ ସତର୍କ ହୋଇ ଯାଆନ୍ତୁ । ଭାରତରେ ବିକ୍ରି ହେଉଥିବା ପ୍ରୋଟିନ ପାଉଡର କେତେ ସୁରକ୍ଷିତ ତାକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି । ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଭାରତରେ ମିଳୁଥିବା ପ୍ରୋଟିନ ପାଉଡରର ନମୂନାକୁ ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ଜଣା ପଡିଛି, ଭାରତରେ ବିକ୍ରି ହେଉଥିବା ମୋଟ ପ୍ରୋଟିନ ପାଉଡରର ୧୫ ପ୍ରତିଶତ ନିମ୍ନମାନର । ବଜାରରେ ନିମ୍ନମାନର ଓ ଅସୁରକ୍ଷିତ ପ୍ରୋଟିନ ପାଉଡର ବିକ୍ରି ହେଉଥିବାରୁ ଡାକ୍ତରଙ୍କ ବିନା ପରାମର୍ଶରେ ସେବନ କଲେ ହୃଦଘାତ ଓ କିଡନୀ ଜନିତ ରୋଗର ଆଶଙ୍କା ରହିଛି । ତେଣୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

୨୦୨୧-୨୨ରେ ଏଫଏସଏସଏଆଇ ମୋଟ ୧ ଲକ୍ଷ ୪୫ ହଜାର ପ୍ରୋଟିନ ପାଉଡରର ନମୂନା ପରୀକ୍ଷା କରିଥିଲା । ସେଥିମଧ୍ୟରୁ ୪ ହଜାର ୮୯୯ ପ୍ରୋଟିନ ପାଉଡରର ନମୂନା ଅସୁରକ୍ଷିତ ବୋଲି ରିପୋର୍ଟ ମିଳିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ, ନ୍ୟୁଟ୍ରିନିଷ୍ଟ ଚିନ୍ତା ପ୍ରକାଶ କରିଛନ୍ତି । କାରଣ ସୁଦୃଢ ସ୍ୱାସ୍ଥ୍ୟ ପାଇବା ପାଇଁ ସେବନ କରାଯାଉଥିବା ପ୍ରୋଟିନ ପାଉଡର ଘାତକ ସାବ୍ୟସ୍ତ ହୋଇପାରେ । ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ ପ୍ରୋଟିନ ପାଉଡର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ । ହୃଦଘାତ ଓ କିଡନୀ ଜନିତ ରୋଗର ଆଶଙ୍କା ରହିଛି । ଏହାଛଡା ଯେଉଁ ପ୍ରୋଟିନ ପାଉଡରରେ ମାତ୍ରାଧିକ ଚିନି ଓ ପ୍ରକ୍ରିୟାକରଣ ଖାଦ୍ୟ ଅଛି, ତାହାକୁ ମାତ୍ରାଧିକ ଖାଇଲେ ମଧୁମେହ ଓ କର୍କଟ ରୋଗ ହେବାର ସମ୍ଭାବନା ରହିଛି । ଡବ୍ଲୁଏଚଓର ଫ୍ରଷ୍ଟ ଅଫ ପ୍ୟାକେଜ ନୀତିରେ ପ୍ରୋଟିନ ପାଉଡର ଆସୁନାହିଁ । ଏହାଛଡା ପ୍ରୋଟିନ ପାଉଡର କଂପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଥିବାରୁ ଗୁଣାତ୍ମକମାନ ଉପରେ ଧ୍ୟାନ ଦିଆଯାଉ ନାହିଁ । ଯାହାର ଖରାପ ପ୍ରଭାବ ଗ୍ରାହକ ଉପରେ ପଡୁଛି ।