ଲାଭ ଦେଉଛି ଲେୟର ଫାର୍ମିଂ କୁକୁଡ଼ା ଫାର୍ମ: ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ଫାର୍ମରୁ ଉତ୍ପାଦନ କରୁଛନ୍ତି ଦୈନିକ ୨୦ ହଜାର ଅଣ୍ଡା

199

କନକ ବ୍ୟୁରୋ: ଲେୟର ଫାର୍ମିଂ ଜରିଆରେ କୁକୁଡ଼ା ଫାର୍ମ କରି ଲାଭବାନ ହୋଇଛନ୍ତି ଦେବଗଡ଼ର ଯୁବ ଇଂଜିନିୟର ଶୋଭେନ ସାମଲ । ସିଭିଲ ଇଂଜିନିୟରିଂରେ ବିଟେକ୍ ଶିକ୍ଷା ହାସଲ କରିବା ପରେ କୌଣସି ଚାକିରୀ ପଛରେ ନପଡ଼ି ନିଜ ଜମିରେ ଆରମ୍ଭ କରିଛନ୍ତି କୁକୁଡ଼ା ଫାର୍ମ । ପାରମ୍ପରିକ ଫସଲ କରିବା ଅପେକ୍ଷା ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରି ସେ ଏଥିରେ ଲାଭବାନ ହୋଇଛନ୍ତି । ଜିଲ୍ଲା ପ୍ରାଣୀଧନ ବିଭାଗ ସହାୟତାରେ ୪୦ ପ୍ରତିଶତ ସବସିଡି ସହ ଦେଢକୋଟି ଟଙ୍କା ଋଣ ନେଇ ଏକ ବର୍ଷ ପୂର୍ବେ ଅରମ୍ଭ କରିଥିବା ଲେୟର ଫାର୍ମ ଏବେ ଉତ୍ପାଦନକ୍ଷମ ହୋଇଛି । ୨୨ହଜାର କୁକୁଡାଙ୍କ ଠାରୁ ଦୈନିକ ପ୍ରାୟ କୋଡିଏ ହଜାର ଅଣ୍ଡା ଉତ୍ପାଦନ କରାଯାଉଛି ।

ଫାର୍ମରୁ ଉତ୍ପାଦିତ ହେଉଥିବା ଅଣ୍ଡା ସ୍ଥାନୀୟ ବଜାର ଚାହିଦା ପୂରଣ କରିବା ସହ ପଡୋଶୀ ଜିଲ୍ଲା ଗୁଡିକୁ ମଧ୍ୟ ରତ୍ପାନୀ କରାଯାଉଛି । ଏହି ଉଦ୍ୟୋଗରେ ୧୨ରୁ ୧୩ ଜଣ କର୍ମଚାରୀ ଦୈନିକ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ୧୨ ରୁ ୧୩ ପରିବାରଙ୍କୁ ରୋଜଗାର ମଧ୍ୟ ମିଳିପାରୁଛି । ସେହିପରି ଏଠାରେ କର୍ମ ସଂସ୍ଥାନ ପାଇଥିବା କର୍ମଚାରୀ ମାନେ ଘର ପାଖରେ କର୍ମସଂସ୍ଥାନ ପାଇପାରିଥିବାରୁ ଆଗ ଭଳି ଅନ୍ୟ ରାଜ୍ୟକୁ ଯିବାକୁ ପଡୁନାହିଁ ବୋଲି ମତ ପ୍ରକାଶ କରିଛନ୍ତି ।

ଦିନକୁ ଦିନ ବେକାରୀ ସମସ୍ୟା ଉକ୍ରଟ ହେଉଥିବା ବେଳେ ପାଠ ପଢି ଚାକିରି ପଛରେ ଗୋଡ଼ାଇ ସମୟ ନଷ୍ଟ କରୁଛନ୍ତି ଯୁବପିଢୀ । ଏଭଳି ସ୍ଥିତିରେ ଶୋଭେନଙ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।