କନକ ବ୍ୟୁରୋ : କଂଗ୍ରେସର ଅନ୍ୟତମ ଶୀର୍ଷ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିପାରେ ଓଡିଶା ଦାୟିତ୍ୱ । ଆସନ୍ତାକାଲି ରାଜ୍ୟ କଂଗ୍ରେସ ଓଡିଶାରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏହା ପୂର୍ବରୁ ଏପରି ଏକ ଖବର ସାମ୍ନାକୁ ଆସିଛି । ନୂଆ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସାରା ଦେଶରେ କଂଗ୍ରେସକୁ ମଜବୁତ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ଆଧାରରେ ପ୍ରିୟଙ୍କାଙ୍କୁ ଓଡିଶା, ବିହାର ଏବଂ ଆନ୍ଧ୍ରପ୍ରଦେଶ ଦାୟିତ୍ୱ ମିଳିପାରେ ବୋଲି ଏଆଇସିସି ସୂତରୁ ଜଣାପଡିଛି ।
ପୂର୍ବରୁ ଏହି ତିନି ରାଜ୍ୟ କଂଗ୍ରେସର ଦୁର୍ଗ ଥିଲା । ଆଉ ଏଠାରେ ସରକାର ମଧ୍ୟ ଗଢିଥିଲା କଂଗ୍ରେସ । କିନ୍ତୁ ଏବେ ଏହି ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇଯାଇଛି । କିନ୍ତୁ ନିର୍ଦ୍ଦିଷ୍ଟ ଭୋଟ୍ ବ୍ୟାଙ୍କ ରହିଛି । ଆଉ ଏହି ଭୋଟ୍ ବ୍ୟାଙ୍କ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ନାଁରେ ରହିଛି । ତେଣୁ ପ୍ରିୟଙ୍କାଙ୍କୁ ଏହି ତିନି ରାଜ୍ୟର ଦାୟିତ୍ୱ ଦେଇ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ମଜବୁତ କରିବାକୁ ଚିନ୍ତା କରୁଥିବା ସୂଚନା ରହିଛି । ଦଳର ଶୀର୍ଷ ନେତା ଚାହୁଁଛନ୍ତି ପ୍ରିୟଙ୍କା କେବଳ ୟୁପିରେ ସୀମିତ ନରହି ବିଭିନ୍ନ ରାଜ୍ୟର ନେତୃତ୍ୱ ନେବା ଦରକାର ।
Follow Us