‘ବଦଲାବ କି ଆନ୍ଧି, ରାହୁଲ୍ ସଙ୍ଗ୍ ପ୍ରିୟଙ୍କା ଗାନ୍ଧି’ ! ଆଜି ଦମ୍ ଦେଖାଇବେ ପ୍ରିୟଙ୍କା, ବଦଳିବ କି ୟୁପି ରାଜନୀତିର ପାଣିପାଗ ?

128

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଭେଣ୍ଟିଲେଟରରେ ପଡିଥିବା କଂଗ୍ରେସକୁ ଜୀବନ ଦେବାର ଦାୟିତ୍ୱ ପ୍ରିୟଙ୍କା ଗାନ୍ଧି ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦିଆଯାଇଛି । କଂଗ୍ରେସ ନେତାମାନଙ୍କ ମନରେ ଜୋସ ଭରିବା ପାଇଁ ଏବଂ ନିର୍ବାଚନ ପୂର୍ବରୁ ଶକ୍ତି ଦେଖାଇବା ପାଇଁ ଆଜି ଲକ୍ଷ୍ନୌରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ରୋଡ୍ ସୋ’ କରିବେ ପ୍ରିୟଙ୍କା । ତେବେ ରୋଡ୍ ସୋ’ ପୂର୍ବରୁ କଂଗ୍ରେସ ବ୍ୟାନର ପୋଷ୍ଟରରେ ଛାଇଯାଇଛି ସମଗ୍ର ଅଞ୍ଚଳ । ଯେଉଁଥିରେ ଲେଖାହୋଇଛି, ‘ବଦଲାବ କି ଆନ୍ଧି, ରାହୁଲ୍ ସଙ୍ଗ୍ ପ୍ରିୟଙ୍କା ଗାନ୍ଧି’ ! ତେବେ ରୋଡ୍ ସୋ’ ପୂର୍ବରୁ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ମିଶନ ୟୁପିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ୟୁପିର ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇବା ପରେ ଆଜି ୪ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯାଉଛନ୍ତି ପ୍ରିୟଙ୍କା । ଲକ୍ଷୌରେ ସେ ୧୫ କିଲୋମିଟର ଯାଏଁ ରୋଡ ଶୋ କରିବେ । ଏଥିରେ ସାମିଲ ହେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପି ପଶ୍ଚିମାଞ୍ଚଳ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏୟାରପୋର୍ଟରୁ ଆରମ୍ଭ କରି କଂଗ୍ରେସ ଅଫିସ ୧୫ କିଲୋମିଟର ଯାଏଁ ପ୍ରିୟଙ୍କାଙ୍କୁ ସ୍ୱାଗତ କରିବାକୁ ଜବରଦସ୍ତ ପ୍ରସ୍ତୁତି କରାଯାଇଛି ।

ଏପରିକି ୟୁପିରେ ପ୍ରିୟଙ୍କା ସେନା ମଧ୍ୟ ଗଠନ କରିଛନ୍ତି ଦଳୀୟ କର୍ମୀ । ରୋଡ ଶୋ ପରେ ସେ କଂଗ୍ରେସର କର୍ମକର୍ତା ଓ ଦଳୀୟ ପଦାଧିକାରୀଙ୍କୁ ଭେଟିବେ । ୪ ଦିନ ଧରି ସେ ଉତ୍ତରପ୍ରଦେଶରେ ରହିବେ । ପ୍ରତ୍ୟେକ ଲୋକସଭା ଆସନର କର୍ମକର୍ତାଙ୍କୁ ସେ ଭେଟିବେ । ଆସନ୍ତା ୧୪ ତାରିଖରେ ନିର୍ବାଚନ ନେଇ ଏକ ବୈଠକ ବି ହେବ । କୁହାଯାଇଛି, ଏହି ୪ ଦିନିଆ ଗସ୍ତ ପରେ ସେ ପ୍ରାୟ ଏକମାସବ୍ୟାପୀ ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀରେ ସଭା ଓ ରୋଡ ଶୋ କରିବେ । ଗସ୍ତ ପୂର୍ବରୁ ପ୍ରିୟଙ୍କ ଏକ ଅଡିଓ ଟେପ ବି ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି, ସମସ୍ତେ ମିଶି ଉତ୍ତରପ୍ରଦେଶକୁ ବଦଳାଇବା । ତେବେ ଉତ୍ତରପ୍ରଦେଶରେ କଂଗ୍ରେସ ସ୍ଥିତି ସେତେ ମଜଭୁତ୍ ନଥିବା ବେଳେ ପ୍ରିୟଙ୍କାଙ୍କ ରୋଡ୍ ସୋ’ କଂଗ୍ରେସ ପାଇଁ ସଞ୍ଜିବନୀ ସାଜିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।