ଓଡ଼ିଶାକୁ ପ୍ରଚାରରେ ଆସିପାରନ୍ତି ପ୍ରିୟଙ୍କା? ପ୍ରଭାରୀ ଜିତେନ୍ଦ୍ର ସିଂ କହିଲେ, ଓଡ଼ିଶା ଆସିବାକୁ କରିବେ ଅନୁରୋଧ

266

କନକ ବ୍ୟୁରୋ: ଜାତୀୟ ସ୍ତରର ଦଳ ଓ ନେତାଙ୍କ ଫୋକସରେ ଓଡ଼ିଶା । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ପରେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ଭୁବନେଶ୍ୱର ସମାବେଶ ପରେ ଦକ୍ଷିଣ, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ବଡଧରଣ ସମାବେଶ କରିବ କଂଗ୍ରେସ । ଆଉ ଏହି ସମାବେଶରେ ଯୋଗ ଦେଇପାରନ୍ତି କଂଗ୍ରେସର ନବ ନିଯୁକ୍ତ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଓଡ଼ିଶା ଆସି ପ୍ରଚାର କରିବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି କହିଛନ୍ତି ଓଡ଼ିଶା କଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ।

୨୦୧୯ ନିର୍ବାଚନ ପୂର୍ବରୁ ଟ୍ରମ୍ପ କାର୍ଡ ଭଳି ପ୍ରିୟଙ୍କା ଗାନ୍ଧୀଙ୍କୁ ସାମ୍ନାକୁ ଆଣିଛି କଂଗ୍ରେସ । ଉତର ପ୍ରଦେଶରେ ଯୋଗୀ ଏବଂ ଦେଶରେ ମୋଦିଙ୍କୁ ରୋକିବା ପାଇଁ କମାଣ୍ଡ ଧରିଥିବା ପ୍ରିୟଙ୍କା ଗାନ୍ଧୀ, ଓଡ଼ିଶା ଆସି ବି କଂଗ୍ରେସ ପାଇଁ ପ୍ରଚାର କରିପାରନ୍ତି । ଓଡ଼ିଶାରେ କଂଗ୍ରେସ ପାଇଁ ପ୍ରଚାର କରିବା ପାଇଁ ଅନୁରୋଧ କରାଯିବ ବୋଲି ସୂଚନା ଦେଇଛନ୍ତି ଖୋଦ୍ ଓଡ଼ିଶା ପ୍ରଭାରୀ ।  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗସ୍ତ ପରେ ପରେ ଓଡ଼ିଶାରେ ତିନି-ତିନିଟି ମେଗା ସମାବେଶ କରିବାକୁ ଯାଉଛି କଂଗ୍ରେସ ।

-ଫେବ୍ରୁୟାରୀ ପ୍ରଥମ ସପ୍ତାହରେ ଦକ୍ଷିଣ ଓଡ଼ିଶାରେ ସମାବେଶ କରିବ କଂଗ୍ରେସ

– ଆଉ ଏହା ପରେ ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ହେବ ୨ଟି ବିଶାଳ ସମାବେଶ

ଆଉ ଏହି ତିନିଟି ସମାବେଶ ମଧ୍ୟରୁ କୌଣସି ସମାବେଶରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଖିପାରନ୍ତି ଦଳର ନେତା ଓ କର୍ମୀ । କାରଣ ଏହି ସମାବେଶରେ ଯୋଗଦେବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରିବେ ବୋଲି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି ।

ତେବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ବିଜେପିର ୩ଟି ଗଡ଼ରେ ବାଜିମାତ୍ କରିଥିବା ବେଳେ ଏବେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ବର୍ତମାନ ପାଇଁ କେବଳ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ନେଇଛନ୍ତି ପ୍ରିୟଙ୍କା, ହେଲେ ଏହା ସାରା ଦେଶର ରାଜନୀତିକୁ ପ୍ରଭାବିତ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।