ପ୍ରିୟଙ୍କା ହେବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି!

70

କନକ ବ୍ୟୁରୋ : ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ଦଳର କାର୍ଯ୍ୟକାରୀ ସଭାପତି କରାଯାଇପାରେ । ଏ ସଂକ୍ରାନ୍ତରେ ଦଳର ଉଚ୍ଚ ମହଲରେ ଆଲୋଚନା ଚାଲିଥିବା ନେଇ ଚର୍ଚ୍ଚା ହେଉଛି । ଗତ ୮ତାରିଖରେ କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ନିଜେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଥିବା ଜଣାପଡ଼ିଛି ।

ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ରିପୋର୍ଟ ଅନୁଯାୟୀ ପ୍ରିୟଙ୍କାଙ୍କୁ ଦଳର କାର୍ଯ୍ୟକାରୀ ସଭାପତି କରାଯିବାକୁ ସୋନିଆ କୁଆଡ଼େ ପ୍ରସ୍ତାବ ଦେଇଥିଲେ । ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନେକ ବରିଷ୍ଠ ସମର୍ଥନ କରିଥିଲେ । ଆସନ୍ତା ଅକ୍ଟୋବରରେ ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଗ୍ରହଣ କରିବେ ବୋଲି ଆଲୋଚନା ହେଉଥିବା ବେଳେ କାର୍ଯ୍ୟକାରୀ ସଭାପତି ଲାଗି ପ୍ରିୟଙ୍କାଙ୍କ ନାମ ଚର୍ଚ୍ଚାକୁ ଆସିଛି । ପ୍ରିୟଙ୍କାଙ୍କ ଭାବମୂର୍ତ୍ତି ଦଳକୁ ଜନସାଧାରଣଙ୍କ ନିକଟତର କରିପାରିବ ବୋଲି କିଛି ବରିଷ୍ଠ ନେତା ଆଶାବ୍ୟକ୍ତ କରିଥିଲେ ।

ତେବେ ପ୍ରିୟଙ୍କାଙ୍କ ଅଫିସ ପକ୍ଷରୁ ଏହି ପ୍ରସଙ୍ଗକୁ ଗୁଜବ ଓ ଅମୂଳକ ବୋଲି କୁହାଯାଇଛି। କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ଏଭଳି କୌଣସି ପ୍ରସ୍ତାବ ନେଇ ଆଲୋଚନା ହୋଇନଥିଲା ବୋଲି ତାଙ୍କ ବ୍ୟକ୍ତିଗତ ସହାୟକ ଏକ ବିବୃତ୍ତିରେ କହିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟିମ୍‌ ରାହୁଲ ଏବଂ ବରିଷ୍ଠ ନେତାମାନଙ୍କ ମଧ୍ୟରେ ମତଭେଦ ଯୋଗୁଁ କଂଗ୍ରେସ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଗୁଲାମ ନବୀ ଆଜାଦ, ଅହମ୍ମଦ ପଟେଲ, ଏକେ ଆଣ୍ଟୋନି ଆଦି ବରିଷ୍ଠ ନେତାମାନେ ରାହୁଲଙ୍କ ଯୁବ ଟିମ୍‌ର ଅନେକ ନିଷ୍ପତ୍ତି ସହିତ ଏକମତ ହୋଇପାରୁ ନାହାନ୍ତି ।