କଟକରେ ସିଲ୍ ହେଲା ଘରୋଇ ନର୍ସିଂ ହୋମ୍ : ଉତ୍ତମ ଚିକିତ୍ସାର ମିଛ ପ୍ରତିଶ୍ରୁତି ଦେଇ ରୋଗୀଙ୍କୁ ଅଧିକ ଟଙ୍କା ଦାବି କରିଥିଲା ଅନ୍ନପୂର୍ଣ୍ଣା ନର୍ସିଂ ହୋମ୍

 ଅଭିଯୋଗ ପରେ ନର୍ସିଂ ହୋମ୍ ସିଲ୍ 

150

କନକ ବ୍ୟୁରୋ : କଟକ ଅନ୍ନପୂର୍ଣ୍ଣା ନର୍ସିଂ ହୋମ୍ ସିଲ କଲା କଟକ ମଙ୍ଗଳବାଗ ପୋଲିସ । ମୃତ ରୋଗୀଙ୍କ ଠାରୁ ଟଙ୍କା ଶୋଷଣ ଅଭିଯୋଗରେ ମଙ୍ଗଳବାଗ ପୋଲିସର ଚଢଉ ପରେ ନର୍ସିଂହୋମ୍କୁ ସିଲ କରିଛି ପୋଲିସ । ଏହା ସହ ଦୁଇ ଜଣ ନର୍ସିଂହୋମ କର୍ମଚାରୀ ଗିରଫ ହୋଇଛନ୍ତି । ଖୁବ୍ ଶୀଘ୍ର ଥାନାରେ ହାଜର ପାଇଁ ନର୍ସିଂହୋମ୍ ମାଲିକଙ୍କୁ ନୋଟିସ କରିଛି ପୋଲିସ । ଆଗକୁ ନର୍ସିଂ ହୋମ ମାନଙ୍କରେ ସ୍ପେଶାଲ ଡ଼୍ରାଇଭ କରିବାକୁ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି କଟକ ଡ଼ିସିପି ପ୍ରତିକ ସିଂ ।

ସୂଚନା ଅନୁଯାୟୀ, ଝାଡ଼ଖଣ୍ତ ପଶ୍ଚିମ ସି˚ଘଭୂମିର ମଞ୍ଜୁ କରୁଆଙ୍କ ଭଉଣୀ ଗୌରୀ କରୁଆଙ୍କ ଉଚ୍ଚ ରକ୍ତଚାପ ଏବ˚ ବ୍ରେନ୍‌ ଷ୍ଟ୍ରୋକ୍‌ ଯୋଗୁ ଗଲା ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ଚମ୍ପୁଆ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୌରୀଙ୍କୁ ବଡ଼ ମେଡିକାଲ୍‌କୁ ସେଦିନ ସନ୍ଧ୍ୟା ପ୍ରାୟ ୬ଟା ବେଳେ ସ୍ଥାନାନ୍ତର କରାଯାଇଥିଲା । ବଡ଼ ମେଡିକାଲ୍‌ କାଜୁଆଲିଟିରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଦଲାଲ ମଞ୍ଜୁଙ୍କ ସହିତ ଯୋଗାଯୋଗରେ ଆସିଥିଲା । ଅଳ୍ପ ଖର୍ଚ୍ଚରେ ଚିକିତ୍ସା କରାଇଦେବାର ପ୍ରଲୋଭନ ଦେଖାଇ ମଙ୍ଗଳାବାଗସ୍ଥିତ ଅନ୍ନପୂର୍ଣ୍ଣା ନର୍ସିଂହୋମ‌କୁ ଏକ ଘରୋଇ ଆମ୍ବୁଲାନ୍ସ ମାଧ୍ୟମରେ ସ୍ଥାନାନ୍ତର କରାଯାଇଥିଲା ।

ଗଲା ୩ ତାରିଖ ବିଳମ୍ବିତ ରାତିରେ ଗୌରୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ବୋଲି ଘୋଷଣା ନକରି ୪ ତାରିଖରେ ଅବଶିଷ୍ଟ ୮୦ ହଜାର ଟଙ୍କା ହସପିଟାଲ୍‌ କର୍ତ୍ତୃପକ୍ଷ ଦାବି କରିଥିଲେ । ଗୌରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବା ପରେ ଶବ ହସ୍ତାନ୍ତର ପାଇଁ ଦାବି କରିଥିଲେ। କିନ୍ତୁ ଅବଶିଷ୍ଟ ୮୦ ହଜାର ଟଙ୍କା ବକେୟା ନ ଦେଲେ ଶବ ଛାଡ଼ିବା ନେଇ କହିଥିଲେ ନର୍ସିଂହୋମ‌ କର୍ତ୍ତୃପକ୍ଷ। ଏ ସ˚କ୍ରାନ୍ତରେ ମଞ୍ଜୁ ୪ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଥିଲା ।

୩ ତାରିଖ ବିଳମ୍ବିତ ରାତିରେ ଗୌରୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ୧୨ ଘଣ୍ଟା କାଳ ଗୌରୀଙ୍କ ଶବକୁ ନର୍ସିଂହୋମ‌ ବେଡ୍‌ରେ ପକାଇ ରଖାଯାଇଥିଲା। ୪ ତାରିଖ ଦିନ ପ୍ରାୟ ୨ଟା ବେଳେ ହସପିଟାଲ୍‌ ପକ୍ଷରୁ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା ।  କମିସନରେଟ୍‌ ପୁଲିସ ଓ ସିଏମ୍‌ଓ ଅଫିସର ଏକ ମିଳିତ ଟିମ୍‌ ନର୍ସିଂହୋମରେ ଚଢ଼ଉ କରିଥିଲା ।ଏହି ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ନର୍ସିଂହୋମ‌କୁ ସିଲ୍‌ କରିଦିଆଯାଇଛି।