ରାଜକୀୟ ଉପାଧିକୁ ପ୍ରତ୍ୟାକ୍ଷାନ କଲେ ପ୍ରିନ୍ସ ହ୍ୟାରୀ ଓ ମେଗନ ମର୍କେଲ । ବର୍ଷକ ପୂର୍ବରୁ ରାଜ ପରିବାର ଛାଡିବା ନେଇ କରିଥିଲେ ଘୋଷଣା ।

95

କନକ ବ୍ୟୁରୋ : ବ୍ରିଟେନର ପ୍ରିନ୍ସ ହ୍ୟାରୀ ଓ ତାଙ୍କ ପତ୍ନୀ ମେଗନ ମର୍କେଲ ଏଣିକି ବ୍ରିଟେନ ରାଜ ପରିବାରର କାର୍ଯ୍ୟକାରୀ ସଦସ୍ୟ ରହିବେ ନାହିଁ । ରାଜ ପରିବାର ଠାରୁ ଅଲଗା ହେବା ନେଇ ପ୍ରାୟ ୧ବର୍ଷ ତଳେ ଘୋଷଣା କରିଥିଲେ ହ୍ୟାରୀ ଓ ମେଗନ । ଏହା ପରେ ତାଙ୍କ ଉପରେ ବକିଙ୍ଘମ ପ୍ୟାଲେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବା ନେଇ ଆଶଙ୍କା କରାଯାଉଥିଲା । ପ୍ରାୟ ୧ବର୍ଷ ଧରି ସେମାନେ ନଫେରିବାରୁ ତାଙ୍କ ଠାରୁ ରାଜକୀୟ ଉପାଧି କାଢି ନିଆଯିବା ପାଇଁ ନିଷ୍ପତି ହୋଇଛି । ପ୍ରିନ୍ସ ହ୍ୟାରୀ ଓ ମେଗନ ମର୍କେଲ ଦୀର୍ଘ ସମୟ ଧରି ରାଜ ପରିବାରଠାରୁ ଦୂରରେ କାନାଡାରେ ରହି ଆସୁଛନ୍ତି ।

ବକିଙ୍ଘମ ପ୍ୟାଲେସ ପକ୍ଷରୁ ରାଣୀ ଏଲିଜାବେଥ ଦ୍ୱିତୀୟ ଘୋଷଣା କରି କହିଛନ୍ତି ପ୍ରିନ୍ସ ହ୍ୟାରୀ ଓ ମେଗନ ମର୍କେଲ ଏଣିକି ରାଜ ପରିବାରର କାର୍ଯ୍ୟକାରୀ ସଦସ୍ୟ ରହିବେ ନାହିଁ । ଏବଂ ଏନେଇ ଉଭୟଙ୍କୁ ଅବଗତ କରାଇ ଦିଆଯାଇଥିବା ଏହି ଘୋଷଣାନାମାରେ ଉଲ୍ଲେଖ କରାଯାଇଛି । ଏ ସମ୍ପର୍କରେ ରାଣୀ ଏଲିଜାବେଥ ଉଭୟଙ୍କୁ ପତ୍ର ଲେଖିଛନ୍ତି ।

ଉଭୟ ନଫେରିବାରୁ ତାଙ୍କୁ ମିଳିଥିବା ରାଜକୀୟ ମାନ୍ୟତା ଓ ସୈନ୍ୟ ନିଯୁକ୍ତିକୁ ପ୍ରତ୍ୟାହାର କରି ନିଆଯାଇ ରାଜ ପରିବାରର ଅନ୍ୟ କାର୍ଯ୍ୟକାରୀ ସଦସ୍ୟକୁ ଏହି ଦାୟିତ୍ୱ ଦିଆଯିବ । ତେବେ ଉଭୟ ହ୍ୟାରୀ ଓ ମେଗନ ଏନେଇ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ଡ୍ୟୁକ ଅଫ୍ ସସେକ୍ସ ଓ ଡଚେସ ଅଫ୍ ସସେକ୍ସ ଭାବେ ଆଉ ରାଜ ପରିବାରକୁ ଫେରିବେ ନାହିଁ ।

ହ୍ୟାରୀ ଓ ମେଗନ ରାଜ ପରିବାରଠାରୁ ଅଲଗା ହେବା ଘଟଣାକୁ ଆସନ୍ତା ମାସ ୧ବର୍ଷ ପୁରିଯିବ । ଗତବର୍ଷ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ଆମେରିକୀୟ ପତ୍ନୀ ମେଗନ ମର୍କେଲ ଆଉ ରାଜ ପରିବାରର ସଦସ୍ୟ ଭାବେ ରହିବାକୁ ଚାହୁଁନଥିବା ନେଇ ନିଷ୍ପତି ନେଇଥିଲେ ଏବଂ ଉଭୟ ଏବେ କାନାଡାରେ ରହୁଛନ୍ତି ।