ପ୍ରସ୍ତୁତ ନୂଆ ସଂସଦ ଭବନ: ୨୮ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

270

କନକ ବ୍ୟୁରୋ: ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିର, ଅର୍ଥାତ୍ ସଂସଦର ନୂଆ ଭବନ ଏବେ ପୂରା ପ୍ରସ୍ତୁତ । ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦଘାଟନ ହେବ । ନୂଆ ସଂସଦ ଭବନର କାର୍ଯ୍ୟ ପୂରଣ ହେବା ପରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା, ଏହାର ଲୋକାର୍ପଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଆଉ ପ୍ରଧାନମନ୍ତ୍ରୀ ଏହାକୁ ଅନୁମୋଦନ ମଧ୍ୟ ଦେଇଛନ୍ତି । ନବନିର୍ମିତ ସଂସଦ ଭବନ ଭାରତର ଗୌରବମୟ ଗଣତାନ୍ତ୍ରିକ ପରମ୍ପରା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ଆହୁରି ସମୃଦ୍ଧ କରିବା ପାଇଁ କାର୍ଯ୍ୟ କରିବ । ସଂସଦର ପୁରୁଣା ଭବନରେ ଲୋକସଭାରେ ୫୫୦ ଓ ରାଜ୍ୟସଭାରେ ୨୫୦ ଜଣ ସଦସ୍ୟ ରହିବାର କ୍ଷମତା ରହିଛି । କିନ୍ତୁ ନବନିର୍ମିତ ସଂସଦ ଭବନରେ ଲୋକସଭାରେ ୮୮୮ ଓ ରାଜ୍ୟସଭାରେ ୩୮୪ ସଦସ୍ୟ ରହିବେ । ଉଭୟ ଗୃହର ମିଳିତ ଅଧିବେଶନ ଲୋକସଭା ଚେମ୍ବରରେ ଅନୁଷ୍ଠିତ ହେବ ।

ନୂଆ ସଂସଦ ଭବନର ବିଶେଷତ୍ୱ?

– ୪ ମହଲା ବିଶିଷ୍ଟ ବିଲ୍ଡିଂ, ଭୂକମ୍ପର ପଡ଼ିବ ନାହିଁ ପ୍ରଭାବ

– ୬୪,୫୦୦ ବର୍ଗମିଟରରେ ନିର୍ମିତ ନୂଆ ସଂସଦ ଭବନ

– ପୁରୁଣା ଭବନ ଠାରୁ ୧୭,୦୦୦ ବର୍ଗମିଟର ବଡ଼ 

– ନୂଆ ଭବନ ପାଇଁ ବ୍ୟୟ ୮୬୨ କୋଟି ଟଙ୍କା

– ପରେ ଏହା ୧୨୦୦ କୋଟି ଟଙ୍କାକୁ ବୃଦ୍ଧି

– ନୂଆ ସଂସଦ ଭବନରେ ତିନୋଟି ଦ୍ୱାର ରହିଛି

– ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର

– ସାଂସଦ ଓ ଭିଆଇପିଙ୍କ ଅଲଗା ପ୍ରବେଶଦ୍ୱାର

– ସଂସଦ ଭବନ ଗେଟରେ ରହିଛି ‘ଅଶୋକ ଚକ୍ର’ ଓ ‘ସତ୍ୟମେବ ଜୟତେ’

ପୁରୁଣା ସଂସଦ ଭବନରେ ଅତ୍ୟାଧୁନିକ ସୁବିଧା ଓ ଟେକନିକର ଅଭାବ ରହିଥିଲା । ଏହାସହ ସିଟ୍ କମ୍ ହେବା ଯୋଗୁଁ ସାଂସଦଙ୍କୁ ବସିବାରେ ମଧ୍ୟ ସମସ୍ୟା ହେଉଥିଲା । ସେଥିପାଇଁ ନୂଆ ବିଲ୍ଡିଂ ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଥିଲା ।  ଏହି ନୂଆ ଭବନରେ ଭାରତୀୟ ସଭ୍ୟତାର ୫ହଜାର ବର୍ଷର କଳାକୃତିକୁ ପ୍ରଦର୍ଶିତ କରାଯିବ । ନୂଆ ଭବନରେ ଡେକୋରେଟିଭ୍ ପିସ୍, ୱାଲ ପ୍ୟାନେଲ, ପଥର ମୂର୍ତି ଓ ଧାତୁରେ ନିର୍ମିତ ପଦାର୍ଥ ଲଗାଯିବ । ସଂଯୋଗର କଥା ହେଉଛି, ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଯେତେବେଳେ ନୂଆ ସଂସଦ ଭବନର ଉଦଘାଟନ କରିବେ, ସେହି ଦିନ ବୀର ସାବରକରଙ୍କ ଜୟନ୍ତୀ ମଧ୍ୟ ପଡ଼ୁଛି । ସେପଟେ ନୂଆ ସାଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ଜୟରାମ ରମେଶ ନୂଆ ଭବନର ଫଟୋ ଟ୍ୱିଟ୍ କରି ମୋଦୀଙ୍କୁ କଟାକ୍ଷ କରିଛନ୍ତି । ସେ ଏହାକୁ ‘ପର୍ସନାଲ ଭ୍ୟାନିଟି ପ୍ରୋଗ୍ରାମ’ ବୋଲି କହିଛନ୍ତି । ଜୟରାମଙ୍କ କଟାକ୍ଷକୁ କାଉଂଟର କରିଛି ବିଜେପି ।

ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ । ନୂଆ ସଂସଦ ଭବନ ନିର୍ମାଣ ପାଇଁ ୨୦୧୯ ଅଗଷ୍ଟ ୫ ତାରିଖରେ ଉଭୟ ଲୋକସଭା ଓ ରାଜ୍ୟସଭା ସରକାରଙ୍କୁ ଅନୁରୋଧ କରିଥିଲେ । ଏହାପରେ ଡିସେମ୍ବର ୧୦, ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ନୂତନ କୋଠାର ଶିଳାନ୍ୟାସ କରିଥିଲେ । ନୂତନ ସଂସଦ ଭବନ ରେକର୍ଡ ସମୟ ମଧ୍ୟରେ ନିର୍ମାଣ କରାଯାଇଛି ।