ପ୍ରଧାନମନ୍ତ୍ରୀ ଭାବୁଛନ୍ତି ସେ ସବୁକିଛି ଜାଣିଛନ୍ତି, ତାଙ୍କ ସାମ୍ନାରେ ଭଗବାନ ବି ଭ୍ରମିତ ହୋଇଯିବେ : ରାହୁଲ ଗାନ୍ଧୀ 

152

କନକ ବ୍ୟୁରୋ : ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ଯୋଗ ଦେଇ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଦେଶର ଏଜେନ୍ସିର ଦୁରୁପଯୋଗ କରିବା ସହ ଲୋକଙ୍କୁ ଧମକାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାହୁଲ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ରାହୁଲ କହିଛନ୍ତି, ଦୁନିଆ ଏତେ ବଡ ଯେ କୌଣସି ବି ବ୍ୟକ୍ତି କେବେ ବି କହିପାରିବନି ଯେ ସମସ୍ତଙ୍କ ବିଷୟରେ ସବୁ ଜାଣିଛି । କିନ୍ତୁ ଭାରତରେ ଏମିତି କିଛି ବ୍ୟକ୍ତିଙ୍କୁ ସେଭଳି ରୋଗ ଧରିଛି ଯେଉଁମାନେ ଭାବୁଛନ୍ତି ସେମାନେ ସବୁକିଛି ଜାଣିଛନ୍ତି । ଯେଉଁମାନେ ଭାବୁଛନ୍ତି ଭଗବାନଙ୍କ ଠାରୁ ମଧ୍ୟ ଅଧିକ ଜାଣିଛନ୍ତି । ସେଭଳି ବ୍ୟକ୍ତି ଭଗବାନଙ୍କ ସାମ୍ନାରେ ବସି ତାଙ୍କୁ ବୁଝାଇପାରିବେ ଯେ ଏବେ କଣ ଚାଲିଛି । ସେଭଳି ବ୍ୟକ୍ତିଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟତମ ।

ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଭଗବାନଙ୍କ ସାମ୍ନାରେ ବସି ବୁଝାଇପାରିବେ ବ୍ରହ୍ମାଣ୍ଡରେ କଣ ଚାଲିଛି । ଭଗବାନ ମଧ୍ୟ ଭ୍ରମିତ ହୋଇଯିବେ ବାସ୍ତବରେ ସେ କଣ ସୃଷ୍ଟି କରିଛନ୍ତି । ଭାରତରେ ଏବେ ଏଭଳି କିଛି ଚାଲିଛି । ସେଭଳି ବ୍ୟକ୍ତି ଯେତେବେଳେ ବୈଜ୍ଞାନିକଙ୍କ ପାଖକୁ ଯାଉଛନ୍ତି ବିଜ୍ଞାନ ସମ୍ବନ୍ଧରେ ବୁଝାଉଛନ୍ତି, ଯେତେବେଳେ ଐତିହାସିକଙ୍କ ପାଖକୁ ଯାଉଛନ୍ତି ଇତିହାସ ବାବଦରେ ବୁଝାଉଛନ୍ତି । ଏୟାରଫୋର୍ସରେ ଉଡାଣ ବାବଦରେ ସମସ୍ତଙ୍କୁ ବୁଝାଇଥାନ୍ତି ।

ଭାରତ ତାହା ନୁହେଁ ଯାହା ଗଣମାଧ୍ୟମ ଦେଖାଉଛି । ଗଣମାଧ୍ୟମ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ବିଭିନ୍ନ ପ୍ରସଙ୍ଗ ଦେଖାଉଛି । ଗଣମାଧ୍ୟମ ଏମିତି ଏକ ରାଜନୈତିକ କାହାଣୀକୁ ପ୍ରସାରିତ କରିଥାଏ ଯାହାର ବାସ୍ତବିକତା ସହ ଭାରତର କୌଣସି ନେଣଦେଣ ନାହିଁ । ରାହୁଲ ଗାନ୍ଧୀ କହିଛନ୍ତି ଭାରତ ଯୋଡ ଯାତ୍ରା ଏଥିପାଇଁ ଆରମ୍ଭ କରିଥିଲୁ କାରଣ ଲୋକଙ୍କ ସହ ଯୋଡି ହେବାକୁ ଯେଉଁ ସବୁ ସାଧନର ଆବଶ୍ୟକ ତାହା ଉପରେ ବିଜେପି-ଆରଏସଏସର ନିୟନ୍ତ୍ରଣ ରହିଛି । ରାଜନୈତିକ ଢଙ୍ଗରେ କାମ କରିବା ଏବେ କଷ୍ଟକର ବ୍ୟାପାର ହୋଇଗଲାଣି । ସ୍ନେହ, ସମ୍ମାନ ଓ ବିନମ୍ରତା ସହ ଏହି ଯାତ୍ରା ଶେଷ ହୋଇଛି । ଯଦି କେହି ଇତିହାସ ପଢିବେ ତେବେ ଜାଣିପାରିବେ ଯେ, ଗୁରୁ ନାନକ ଦେବ, ନାରାୟଣ ଗୁରୁଙ୍କ ସହ ଆଧ୍ୟାତ୍ମିକ ନେତା ମଧ୍ୟ ସମାନ ଢଙ୍ଗରେ ଦେଶକୁ ଏକଜୁଟ୍ କରିଥିଲେ ।