ପ୍ରଧାନମନ୍ତ୍ରୀ ନେଲେ କରୋନା ଟିକା : ଦିଲ୍ଲୀ ଏମ୍ସରେ ପୁଡୁଚେରୀର ସିଷ୍ଟର ନିବେଦା ଦେଲେ କୋଭାକ୍ସିନର ପ୍ରଥମ ଡୋଜ

ନିର୍ଭୟରେ ଯୋଗ୍ୟ ବ୍ୟକ୍ତି ଟିକା ନେବା ପାଇଁ ଅପିଲ କଲେ ନରେନ୍ଦ୍ର ମୋଦି; କହିଲେ ଆସ ସମସ୍ତେ ମିଶି ଦେଶକୁ କରୋନା ମୁକ୍ତ କରିବା

186

କନକ ବ୍ୟୁରୋ : ସମ୍ପୂର୍ଣ୍ଣ ସ୍ୱଦେଶୀ ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମସରେ ଟିକାର ପ୍ରଥମ ଡ଼ୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ସେ ଟୁଇଟ କରି ସୁଚନା ଦେଇଛନ୍ତି । ପୁଡ଼ୁଚେରୀର ସିଷ୍ଟର ପି.ନିବେଦା ତାଙ୍କୁ ଟିକା ଦେଇଛନ୍ତି । ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ।

ଟିକା ନେବା ପରେ ସେ ଡ଼ାକ୍ତର ଓ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି । କରୋନା ମହାମାରୀ ସମୟରେ ଡ଼ାକ୍ତର ଓ ବୈଜ୍ଞାନିକ ମାନଙ୍କ କାମକୁ ସେ ପ୍ରଶଂସା କରିଛନ୍ତି । ଯେଉଁମାନେ ଟିକା ନେବା ପାଇଁ ଯୋଗ୍ୟ ସେମାନଙ୍କୁ ଟିକା ନେବା ପାଇଁ ଆହ୍ୱାନ ଦେଇଛନ୍ତି ମୋଦି । ସମସ୍ତେ ମିଶି ଦେଶକୁ କରୋନା ମୁକ୍ତ କରି ପାରିବା ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟିକା ଦିଆଯିବା ସହ ଆଜି ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ଏହି ଅଭିଯାନରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତାଠୁ ଅଧିକ ବୟସ୍କ ବ୍ୟକ୍ତିମାନେ ଟିକା ନେବେ। ଏଥିପାଇଁ ଲୋକେ ସୋମବାର ଅର୍ଥାତ୍‌ ଆଜି ସକାଳ ୯ଟାରେ ଖୋଲିବାକୁ ଥିବା ସରକାରଙ୍କ Co-WIN2.0 ପୋର୍ଟାଲ୍‌ରେ (‘କୋ-ଓ୍ଵିନ୍‌୨.୦) ନାମ ପଞ୍ଜିକରଣ କରାଇପାରିବେ।