ନ୍ୟାସନାଲ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ : ସ୍ମାରକୀରେ ଥିବା ‘ସେରିମୋନିଆଲ୍‌ ବୁକ୍‌’ରେ କଲେ ସ୍ବାକ୍ଷର

46

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ ଗେଟ୍‌’ ଅଞ୍ଚଳରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥରେ ପହଞ୍ଚିବା ପରେ ‘ଜାତୀୟ ଯୁଦ୍ଧ ସ୍ମାରକୀ’ ସ୍ଥଳକୁ ଯାଇଥିଲେ । ତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ଜେନେରାଲ୍‌ ବିପିନ ରାଓ୍ଵତ ମଧ୍ୟ ସେଠାକୁ ଯାଇଥିଲେ । ସ୍ମାରକୀରେ ଥିବା ‘ସେରିମୋନିଆଲ୍‌ ବୁକ୍‌’ରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱାକ୍ଷର କରିଥିଲେ ।

ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଜାମନଗରରୁ ଆସିଥିବା ଏକ ସ୍ୱତନ୍ତ୍ର ‘ପଗଡ଼ି’ ପରିଧାନ କରିଛନ୍ତି । ଏହି ‘ପଗଡ଼ି’ଟି ପ୍ରଥମ କରି ଗୁଜରାଟ ଅନ୍ତର୍ଗତ ଜାମନଗରର ରାଜପରିବାର ତରଫରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ଦିଆଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ଉତ୍ସବସ୍ଥଳ ରାଜପଥକୁ ଫେରିଥିଲେ ଏବଂ ପରେ ପରେ ସେଠାରେ ପହଞ୍ଚିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପାଛୋଟି ନେଇଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।