ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ଏପଟେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ।

33

କନକ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଥିବା ବେଳେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳୁ ସକାଳୁ ହିମାଚଳ ପ୍ରଦେଶର ଲେପଚାରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ଆଉ ସୋସିଆଲ୍ ମିଡିଆରେ ‘ଏକ୍ସ’ରେ ଲେଖିଥିଲେ, ବାହାଦୂର ଯବାନଙ୍କ ସହ ଦୀପାବଳି ପାଳନ କରି ସେ ଗର୍ବ ଅନୁଭବ କରିବା ସହ ଭାବବିହ୍ୱଳ ହୋଇ ଯାଇଛନ୍ତି । କହିଛନ୍ତି, ପରିବାରଠାରୁ ଦୂରରେ ରହି ଦେଶକୁ ସୁରକ୍ଷା ଯୋଗାଉଥିବା ବୀର ଯବାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆମ ସମସ୍ତଙ୍କ ଜୀବନ ଆଲୋକିତ ହୋଇଛି ।

କ୍ଷମତାକୁ ଆସିବା ପରଠାରୁ ଅର୍ଥାତ ୨୦୧୪ରୁ ପ୍ରତିବର୍ଷ ଯବାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି ନରେନ୍ଦ୍ର ମୋଦୀ । ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଖ, ସମୃଦ୍ଧି ଓ ଉତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ।

ଅସତ୍ୟ ଉପରେ ସତ୍ୟର ବିଜୟ, ଆଲୋକର ଏହି ପର୍ବକୁ ସାରା ଭାରତରେ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି ଦେଶବାସୀ । ମିଠା ଖୁଆଇ ପରସ୍ପରକୁ ଶୁଭକାମନା ଜଣାଉଛନ୍ତି । ଘରେ ଘରେ ଦୀପ ପ୍ରଜ୍ଜୋଳନ କରାଯିବା ସହ ରଙ୍ଗୀନ ଆଲୋକମାଳାରେ ଝଲସୁଛି ପୁରପଲ୍ଲୀ ।