ଦୁଇ ଦିନିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ : ଜାନକୀ ମନ୍ଦିରରେ ପୂଜାର୍ଚ୍ଚନା, କିଛି ସମୟ ପରେ ଜନକପୁରରୁ ଅଯୋଧ୍ୟାକୁ ବସ ସେବାର କରିବେ ଶୁଭାରମ୍ଭ

28

କନକ ବ୍ୟୁରୋ : ଦୁଇ ଦିନିଆ ନେପାଳ ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ନୂଆ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ସେ ନେପାଳର ଜନକପୁରୀ ପହଂଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପାରମ୍ପରିକ ପୋଷାକରେ ସଜ୍ଜିତ ନେପାଳବାସୀ ତାଙ୍କୁ ସ୍ୱାଗତ କରିଥିଲେ । ଜନକପୁରୀ ବିମାନରୁ ସିଧା ଜାନକୀ ମନ୍ଦିରକୁ ଯାଇଥିଲେ ନରେନ୍ଦ୍ର ମୋଦି । ଏହି ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ତ୍ରିରଙ୍ଗା ପତାକା ଓ ନେପାଳର ଜାତୀୟ ପତାକା ଧରି ନେପାଳବାସୀ, ହର ହର ମୋଦି ଓ ଜାନକି ମାତାକି ଜୟ ନାରା ଦେଉଥିବା ଦେଖିବାକୁ ମିଳିଛି । ଜାନକି ମନ୍ଦିର ବାହାରେ ମୋଦିଙ୍କୁ ସ୍ୱାଗତ କରିଥିଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ।

ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଦୁଇ ପ୍ରଧାନମନ୍ତ୍ରୀଙ୍କୁ ମନ୍ଦିର ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଜନକପୁରୀରୁ ଅଯୋଧ୍ୟାକୁ ବସ ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ଭାରତୀୟ ପ୍ରଧାନମନ୍ତ୍ରୀ । ଏହାକୁ ରାମାୟଣ ସର୍କିଟ ପ୍ରକଳ୍ପର ବିସ୍ତାର ଭାବେ ଦେଖାଯାଉଛି । ମଧ୍ୟାହ୍ନ ପରେ ନେପାଳର ରାଜଧାନୀ କାଠମାଣ୍ଡୁ ଯିବେ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ଅବସରରେ କୁଟନୈତିକ ସଫଳତା ସହ ଦୁଇ ଦେଶ ସଂପର୍କରେ ଆସିଥିବା ଶିଥିଳତାକୁ ମଧ୍ୟ ତାଜା କରାଯିବ । ସେହିପରି ନେପାଳ ଉପରେ ବଢୁଥିବା ଚୀନର ପ୍ରଭାବକୁ ମଧ୍ୟ କମ କରିବାରେ ମୋଦିଙ୍କ ଏହି ଗସ୍ତ ସହାୟକ ହେବ । ଗତମାସରେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ଭାରତ ଗସ୍ତରେ ଆସିଥିବା ବେଳେ ଆଜି ନେପାଳ ଯାଇଛନ୍ତି ନରେନ୍ଦ୍ର ମୋଦି । ତେଣୁ ଦୁଇ ଦେଶର ସଂପର୍କରେ ପୂର୍ବଭଳି ନିବିଡତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।