ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର ! ୬୬ବର୍ଷ ବିତିଗଲାଣି ମଶାଣିରେ ଚାଲିଛି ପାଠପଢ଼ା ।

30

ଆମ ଦେଶରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ହୁଏତ ବର୍ଷ ବର୍ଷ ହେବ ଯାତାୟତ ସେବା, ଶିକ୍ଷା, ବିଜୁଳି, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଅଛନ୍ତି ବାସିନ୍ଦା । ହେଲେ ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯେଉଁଠି ଦୀର୍ଘ ୬୬ ବର୍ଷ ହେଲାଣି ପହଞ୍ଚିପାରି ନାହାଁନ୍ତି କୌଣସି ସରକାର । ଉତ୍ତର ପ୍ରଦେଶର ସମ୍ବଲ ଜିଲ୍ଲା ସରାୟତରିନ୍ ଗାଁରେ ଥିବା ପ୍ରାଥମିକ ସ୍କୁଲ ଏହାର ଜ୍ୱଳନ୍ତ ଉଦାହରଣ ।

୧୯୫୨ ମସିହାରେ ସମ୍ଭଲ ଠାରେ ଥିବା ମୁସଲମାନ ସମ୍ପ୍ରଦାୟର ସରାୟତରୀନ ମୁହଲ୍ଲା ଦରବାର ମଧ୍ୟ ଭାଗରେ ଅବସ୍ଥିତ ଏହି ପ୍ରାଥମିକ ଶିକ୍ଷାକେନ୍ଦ୍ର । ଯେଉଁଠାରେ ପାଠ ପଢ଼ୁଛନ୍ତି ୧୩୩ଜଣ ପିଲା । ପିଲାଙ୍କ ମଧ୍ୟରେ ପାଠ ପଢ଼ିବା ପାଇଁ ପ୍ରବଳ ଇଚ୍ଛା ଶକ୍ତି ଥିଲେ ମଧ୍ୟ ସରକାରଙ୍କ ଏଭଳି ବେପରୁଆ ନୀତି ଦେଖି ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମନବଳ ଭାଙ୍ଗି ପଡିବାରେ ଲାଗିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ସରକାରୀ ବାବୁ ମାନେ ଜାଣିକି ମଧ୍ୟ ଅଣଦେଖା କରୁଛନ୍ତି ଆଉ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି ।

ଉତ୍ତର ପ୍ର୍ରଦେଶରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଶିକ୍ଷା କ୍ଷେତ୍ରରେ ଅନେକ ସୁଧାର ଆଣି ବିଭିନ୍ନ ଯୋଜନାର ଖସଡା ପ୍ରସ୍ତୁତ କରିଛନ୍ତି । ହେଲେ ଦୀର୍ଘ ୬୬ ବର୍ଷ ହେଲାଣି ସମ୍ଭଲ ଜିଲ୍ଲାର ଏହି ଗାଁ ମଶାଣି ମଝିରେ ପିଲାମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । କିନ୍ତୁ ରାଜ୍ୟରେ କ୍ଷମତାରେ ଥିବା ସରକାରଙ୍କ ଆଖିରେ କଳା ପଟ୍ଟି ବନ୍ଧା ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ଏହି ସ୍କୁଲ ଏକ ଭଡା ଘରେ ଚାଲୁଥିଲା । ପରେ ପରେ ଭଡା ଦେବାରେ ସାମର୍ଥ୍ୟ ହୋଇ ନ ପାରିବାରୁ ମଶାଣିରେ ପାଠ ପଢ଼ୁଛନ୍ତି ପିଲା ।

ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ବ୍ୟବସ୍ଥା ରହିଛି । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଛୋଟ ଚଟାଣ କରି ଟିଣ ଆଜବେଷ୍ଟ ପକାଇ ଏହାର ଚାରି ପାଶ୍ୱର୍ରେ କପଡାରେ ଆବଦ୍ଧ କରାଯାଇଛି । ଯାହାଫଳରେ ଛୋଟ ପିଲାମାନଙ୍କୁ ମଶାଣିର ଅନୁଭବ ନ ହେବ ଏବଂ ସେମାନେ ପାଠ ପଢ଼ିପାରିବେ । ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ ଏ ପର୍ଯ୍ୟନ୍ତ ତାଙ୍କୁ ଏକ ସ୍ଥାୟୀ ଏବଂ ପାଠ ପଢ଼ିବା ପାଇଁ ଉପଯୁକ୍ତ ସ୍ଥାନ ସରକାର ପ୍ରଦାନ କରି ନାହାଁନ୍ତି । ଯଦି ସରକାର ପିଲାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ତ୍ୱରିତ ପଦକ୍ଷେପ ନେଇ ସ୍ଥାନ ପ୍ରଦାନ କରିବେ ତେବେ ୬୬ବର୍ଷ ଅପେକ୍ଷାର ଅନ୍ତ ଘଟି ଆଗାମୀ ପିଢ଼ୀପାଇଁ ଶିକ୍ଷା କ୍ଷେତ୍ରରେ ସହାୟକ ହେବ ।