ମହଙ୍ଗା ହେଉଛି ଅଟା ଦର : ୧୨ମାସରେ ବଢ଼ିଲାଣି ୪୦%; କିଲୋ ପିଛା ୪୦ରୁ ୪୫ଟଙ୍କାରେ ପହଞ୍ଚିଲା ପ୍ୟାକେଟ ଅଟା ଦାମ

155

କନକ ବ୍ୟୁରୋ : ମହଙ୍ଗ ହେଉଛି ଅଟା । ବର୍ଷକରେ ୪୦% ମହଙ୍ଗା ହୋଇଛି ଅଟା । ନିକଟରେ ପାକିସ୍ତାନରେ ଅଟାଦର ଅହେତୁକ ବୃଦ୍ଧି ପାଇବା ଓ ଅଟା ପାଇଁ କିପରି ଲୋକେ ଡହଳ ବିକଳ ହେଉଥିଲେ, ସେପରି ଦୃଶ୍ୟ ସାମ୍ନାକୁ ଆସିଥିଲା । ଏବେ ଭାରତରେ ମଧ୍ୟ ଅଟାଦର ବଢ଼ିବାରେ ଲାଗିଛି । ଖୋଲା ଅଟା କିଲୋପ୍ରତି ୩୮ରୁ ୪୦ଟଙ୍କାରେ ବିକ୍ରି ହେଉଥିବା ବେଳେ ପ୍ୟାକେଟ ଅଟା ୪୦ରୁ ୪୫ଟଙ୍କାରେ ବିକ୍ରି ହେଉଛି । ଗତବର୍ଷ ଜାନୁୟାରୀରେ ଅଟା ଦର ଯାହା ରହିଥିଲା ତାହା ଏବେ ୪୦% ମହଙ୍ଗା ହୋଇଛି ।

ଦେଶରେ ଗତ କିଛି ବର୍ଷ ହେଲା ଲଗାତର ଭାବେ ଗହମ ଦର ବଢିବାର ଲାଗିଛି । ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ ସରକାର ଯଦି ଗଛିତ ରଖିଥିବା ଗହମ ବଜାରକୁ ନଛାଡ଼ନ୍ତି, ତାହେଲେ ଅଟାଦର ଆହୁରି ବଢ଼ିବାର ସମ୍ଭାବନା ରହିଛି । ଗତ କିଛି ସମୟ ହେଲା ଦେଶରେ ଗହମ ଦର ବଢ଼ି ବଢ଼ି ଚାଲିଛି । ରପ୍ତାନୀ ଉପରେ କଟକଣା ଲଗାଯାଇଥିଲେ ବି ଜାନୁଆରୀରେ ଗହମ ଦର ୭ରୁ ୧୦ ପ୍ରତିଶତ ବଢ଼ିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ୩୧୦୦ ଟଙ୍କା, ଦିଲ୍ଲୀରେ ୩୧୫୦ ଟଙ୍କାେରେ ବିକ୍ରି ହେଉଛି । ଗହମର ମୂଲ୍ୟବୃଦ୍ଧିର ପ୍ରଭାବ ଅଟା ଦର ଉପରେ ମଧ୍ୟ ପଡ଼ୁଛି । କେବଳ ଅଟା ନୁହେଁ, ସୁଜି, ମୈଦା, ବ୍ରାଉନ ବ୍ରେଡର ମଧ୍ୟ ଦର ବୃଦ୍ଧି ଘଟୁଛି ।

ତେବେ ଅଟାଦର କମାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି । ଖୋଲା ବଜାରରେ ୩୦ ଲକ୍ଷ ଟନ୍ ଗହମ ବିକ୍ରିି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ବଫର ଷ୍ଟକରୁ ଏହି ଗହମ ବିକିବେ । ଏହାକୁ ଖୋଲା ବଜାରରେ ବିକ୍ରି କରାଯିବ । ଗହମ ଷ୍ଟକକୁ ଅଟାକଳ ଓ ବ୍ୟବସାୟୀଙ୍କୁ ଯୋଗାଇ ଦିଆଯିବ । ଏଥିପାଇଁ ଏଫସିଆଇକୁ କେନ୍ଦ୍ର ସରକାର ଅନୁମତି ଦେଇସାରିଛନ୍ତି । ଗତବର୍ଷ ଭାରତର ଗହମ ଉତ୍ପାଦନ କମିଛି । ୨୦୨୧-୨୨ ଅମଳ ବର୍ଷରେ ଗହମ ଉତ୍ପାଦନ ୧୦୬.୮୪ ନିୟୁତ ଟନକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଭାରତୀୟ ଖାଦ୍ୟ ନିଗମ, ଏଫସିଆଇ ଓଡ଼ିଶା ପକ୍ଷରୁ ୪୬ ହଜାର ମେଟ୍ରିକ ଟନ୍ ଗହମ ଟେଣ୍ଡର କରାଯାଇଛି ।

ମିିଲରଙ୍କ ପାଇଁ ଟେଣ୍ଡରରେ କ୍ୱିଂଟାଲ ପିଛା ୨୩୫୦ ଟଙ୍କା ଧାର୍ଯ୍ୟ । ମିଲିଂ ପରେ କ୍ୱିଂଟାଲ ପିଛା ୨୯୫୦ ଟଙ୍କାରେ ବିକ୍ରି କରିବେ ମିଲର । ଜଣେ ମିଲର ବାର୍ଷିକ ସର୍ବାଧିକ ୩ ହଜାର ମେଟ୍ରିକ ଟନ୍ ଗହମ ଉଠାଇ ପାରିବେ । ଛୋଟ ବ୍ୟବସାୟୀଙ୍କ ପାଇଁ ଏଭଳି କୌଣସି ନିୟମ ଲାଗୁ ହେବ ନାହିଁ । ଛୋଟ ବ୍ୟବସାୟୀ ବିନା ଟେଣ୍ଡରରେ ଏଫସିଆଇରୁ କ୍ୱିଂଟାଲ ପିଛା ୨୩୫୦ ଟଙ୍କାରେ ନେଇପାରିବେ । ଏହାପରେ ୨୯୫୦ ଟଙ୍କାରେ ବିକ୍ରି କରିପାରିବେ ଛୋଟ ବ୍ୟବସାୟୀ । ଓଡ଼ିଶାକୁ ମୁଖ୍ୟତଃ ପଂଜାବ ଓ ହରିୟାଣାରୁ ଗହମ ଆସେ । ଏହାର ଗମନାଗମନ ଖର୍ଚ୍ଚ ମିଲରଙ୍କୁ ଦେବାକୁ ପଡ଼ିବ । ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଟେଣ୍ଡର ପକ୍ରିୟାରେ ଗହମ କିଣିପାରିବେ ମିଲର । ଛୋଟ ବ୍ୟବସାୟୀ ଡିସେମ୍ବର ଯାଏଁ ଗହମ କିଣିପାରିବେ ।