ରାଜଧାନୀରେ ୯୧ ଟପିଲା ପେଟ୍ରୋଲ ଦର । ଲଗାତାର ୧୨ଦିନରେ ବଢିଚାଲିଛି ପେଟ୍ରୋଲ ଦର, ସେପଟେ ପଡୋଶୀ ଦେଶରେ ତେଲ ଶସ୍ତା…

କ୍ରମାଗତଭାବେ ଗତ ୧୨ ଦିନ ହେଲା ଦେଶରେ ‌ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି।

112

କ୍ରମାଗତଭାବେ ଗତ ୧୨ ଦିନ ହେଲା ଦେଶରେ ‌ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଏଥିଯୋଗୁ ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ପେଟ୍ରୋଲ ୯୧ ଟଙ୍କା ଏବଂ ଡିଜେଲ ୮୮ ଟଙ୍କା ଟପିଛି। ଭାରତୀୟ ତୈଳ ନିଗମ ଟାଙ୍କିରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୩୦ ପଇସା ଏବଂ ଡିଜେଲ ଦର ୮୮ ଟଙ୍କା ୨୪ ପଇସା ଛୁଇଁଛି। ଗତକାଲି ତୁଳନାରେ ଆଜି ପେଟ୍ରୋଲ ଦର ୩୯ ପଇସା ଏବଂ ଡିଜେଲ ଦର ୪୦ ପଇସା ବୃଦ୍ଧି ପାଇଛି। ଗତ ୯ ତାରିଖରୁ ଏହି ଦୁଇ ଇନ୍ଧନର ଦର ବଢ଼ିବାରେ ଲାଗିଛି। ଏହି ୧୨ ଦିନ ଭିତରେ ଗ୍ରାହକଙ୍କ ଉପରେ କମ୍ପାନି ଗୁଡ଼ିକ ଲିଟର ପିଛା ପେଟ୍ରୋଲ ଉପରେ ୩ ଟଙ୍କା ୬୭ ପଇସା ଏବଂ ଡିଜେଲ ଉପରେ ୪ ଟଙ୍କା ୨୧ ପଇସାର ଆର୍ଥିକ ବୋଝ ଲଦିଛନ୍ତି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବଢ଼ୁଥିବାରୁ ପ୍ରତିଦିନ ଏହା ନୂଆ ରେକର୍ଡ ସ୍ତରକୁ ଛୁଉଁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ୁଥିବାରୁ ତେଲ କମ୍ପାନିଗୁଡ଼ିକ ଏହି ଦୁଇ ଇନ୍ଧନ ଦର ବଢ଼ାଉଥିବା କୁହାଯାଉଛି। କିନ୍ତୁ କରୋନା ସମୟରେ ଗତବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେଉଁ ଟିକସ ବୋଝ ଲଦିଥିଲେ ତାହାକୁ ଏପର୍ଯ୍ୟନ୍ତ କମାଉନାହାନ୍ତି।

ପଡ଼ୋଶୀ ଦେଶରେ ଶସ୍ତା

ଭାରତରେ ଗତ ୧୨ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବାରୁ ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଲାଣି। କିନ୍ତୁ ଭାରତର ପ୍ରାୟ ସବୁ ପଡ଼ୋଶୀ ଦେଶରେ ଏହି ଦର ‌ଯଥେଷ୍ଟ କମ୍ ରହିଛି। ପଡ଼ୋଶୀ ଭୁଟାନରେ ପେଟ୍ରୋଲ ଏବଂ ଡିଜେଲ ଦର ୫୦ ଟଙ୍କା ତଳେ ରହିଛି। ଶ୍ରୀଲଙ୍କାରେ ଡିଜେଲ ଦର ଲିଟର ପିଛା ୪୦ ଟଙ୍କା ରହିଛି। ଏକ ହିସାବରୁ ଜଣାଯାଇଛି ଭୁଟାନରେ ପେଟ୍ରୋଲ ଦର ୪୯ ଟଙ୍କା ୫୬ ପଇସା ଥିବାବେଳେ ପାକିସ୍ତାନରେ ୫୧ ଟଙ୍କା ୧୩ ପଇସା, ଶ୍ରୀଲଙ୍କାରେ ୬୦ ଟଙ୍କା ୨୬ ପଇସା, ନେପାଳରେ ୬୮ ଟଙ୍କା ୯୭ ପଇସା ଏବଂ ବାଂଲାଦେଶରେ ୭୬ ଟଙ୍କା ୪୦ ପଇସା ରହିଛି। ସେହିଭଳି ଶ୍ରୀଲଙ୍କାରେ ଡିଜେଲ ଦର ଲିଟର ପିଛା ୩୮ ଟଙ୍କା ୯୨ ପଇସା, ଭୁଟାନରେ ୪୬ ଟଙ୍କା ୩୧ ପଇସା, ପାକିସ୍ତାନରେ ୫୩ ଟଙ୍କା ୦୪ ପଇସା, ବାଂଲାଦେଶରେ ୫୫ ଟଙ୍କା ୮୦ ପଇସା ଏବଂ ନେପାଳରେ ୫୮ ଟଙ୍କା ୩୧ ପଇସା ରହିଛି।

ଭେନେଜୁଏଲାରେ ଦାମ୍‌ ସବୁଠୁ କମ୍‌
ଭେନେଜୁଏଲାରେ ପେଟ୍ରୋଲ ଦର ଭାରତୀୟ ମୁଦ୍ରାରେ ୨୧ ପଇସା ରହିଛି। ଇରାନରେ ୪ ଟଙ୍କା ୪୯ ପଇସା, ଅଙ୍ଗାଲୋରେ ୧୭ ଟଙ୍କା ୮୨ ପଇସା, ଆଲଜେରିଆରେ ୨୫ ଟଙ୍କା ୧୫ ପଇସା ଏବଂ କୁଏତରେ ୨୫ ଟଙ୍କା ୨୫ ପଇସା ରହିଛି।