ପୁଣି କମିପାରେ ତୈଳ ଦର: ଗଚ୍ଛିତ ଅଶୋଧିତ ତୈଳର ବ୍ୟବହାର ଉପରେ ସରକାରଙ୍କ ଗୁରୁତ୍ୱ

222

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଶୁଳ୍କ ହ୍ରାସ ନିଷ୍ପତ୍ତି ପରେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ତୈଳ ଦର ସରକାରଙ୍କ ପାଇଁ ମୁଖ୍ୟ ପ୍ରତିବନ୍ଧକ ହୋଇପାରେ ବୋଲି ଅନୁମାନ କରି ସରକାର ପୁଣିଥରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଏହା ମଧ୍ୟରେ ପ୍ରେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସମସ୍ତ ଅଂଶିଦାର ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ତୈଳ ଦରକୁ ନେଇ ଚର୍ଚ୍ଚା ହୋଇଥିବାବେଳେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ମଧ୍ୟ ଜଣାପଡିଛି । ଫଳରେ ଆଗକୁ ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି କମିବାର ସମ୍ଭାବନା ରହିଛି । ତୈଳ ଦର ଉପରେ ରୋକ୍ ଲାଗାଇବାକୁ ସରକାର ବଡ ଘୋଷଣା କରିବେ ବୋଲି ଜଣାପଡିଛି । ବର୍ତ୍ତମାନ ଭାରତରେ ଗଚ୍ଛିତ ପେଟ୍ରୋଲିୟମରୁ ପ୍ରାୟ ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ବ୍ୟାରେଲକୁ ରିଲିଜ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି ।

ଆମେରିକା , ଚୀନ, ଜାପାନ ଓ ଦକ୍ଷିଣ କୋରିଆ ଭଳି ଦେଶ ଯେଉଁମାନେ ଅଶୋଧିତ ତୈଳ ଗଚ୍ଛିତ ରଖିଛନ୍ତି ସେମାନଙ୍କ ସହିତ ବିଚାରବିମର୍ଶ ପରେ ଭାରତ ସକରାର ମଧ୍ୟ ଆବଶ୍ୟକ ପରିମାଣର କ୍ରୂୁଡ ଅଏଲ ରିଲିଜ କରିବେ । ଏହି ଦେଶ ଗୁଡିକ ଏକା ସମୟରେ ସେମାନଙ୍କ ଅଶୋଧିତ ତେଲ ଭଣ୍ଡାରକୁ ଖୋଲି ପାରନ୍ତି । ଫଳରେ ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ପରିମାଣ ବୃଦ୍ଧି ପାଇବ । ତେଣୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ ବୋଲି ସୂଚନା ରହିଛି ।

ଅନ୍ୟପଟେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବୃଦ୍ଧିକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିୟମିତ ଏ ସମ୍ପର୍କରେ ସମୀକ୍ଷା କରୁଛନ୍ତି ।