ପକ୍କାଘର ବଂଟନ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି । କହିଲା ପ୍ରଧାନମନ୍ତ୍ରୀ ଆବାସକୁ ନେଇ ମିଛ କହୁଛନ୍ତି ସରକାର,ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବନ୍ଦ କରନ୍ତୁ ଚଞ୍ଚକତା

ହିତାଧିକାରୀଙ୍କ ତାଲିକାକୁ ସାର୍ବଜନୀନ କରିବାକୁ ଦାବି

235

କନକ ବ୍ୟୁରୋ: ପକ୍କାଘର ବଂଟନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଯେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ମିଛ କହୁଛନ୍ତି ସରକାର । ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଚଂଚକତା ବନ୍ଦ କରନ୍ତୁ । ବିଜୁ ବାବୁଙ୍କ ନାଁକୁ ନେଇ ୩୬୫ ଦିନ ଉତ୍ସବ ପାଳନ କରନ୍ତୁ ଆପତି ନାହିଁ , କିନ୍ତୁ ଗରିବଙ୍କ ଦାବିକୁ ଅବହେଳା ବରଦାସ୍ତ କରାଯିବନି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

୨୦୧୬ରେ ୧୦ ଲକ୍ଷ ବିଜୁ ପକ୍କା ଘର କରିଥିବା ବୋଲି କହିିଥିଲେ ନବୀନ । କିନ୍ତୁ ବିଧାନସଭାରେ ଦର୍ଶାଇଥିଲେ ୫୭ ହଜାର ୫୩୮ ବିଜୁ ପକ୍କା ଘର ହୋଇଛି । ସମଗ୍ର ରାଜ୍ୟରେ ୨୭ ଲକ୍ଷ ହିତାଧିକାରୀଙ୍କୁ ବାଛିଥିଲେ । କିନ୍ତୁ ସେଥିରୁ ୧୩ ଲକ୍ଷ ଅଯୋଗ୍ୟ ବାହାରିଲେ । ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରିବାକୁ ଦାବି କରିଛି ବିଜେପି ।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ପରିବର୍ତନ ନେଇ ଜୋର ଧରିଛି ରାଜନୀତି । କୌଣସି ମତେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଚେତାବନୀ ଦେଇଛି ବିଜେପି । ବର୍ତମାନ ସୁଦ୍ଧା ରାଜ୍ୟରେ ଚୂଡାନ୍ତ ହିତାଧିକାରୀ ତାଲିକାଟିଏ ସରକାର ପ୍ରସ୍ତୁତ କରି ପାରି ନାହାନ୍ତି ବୋଲି ଦଳ ଅଭିଯୋଗ କରିଛି । ଅନ୍ୟପଟେ ବିଜେଡି ସରକାର ପ୍ରଚାର ଓ ନିର୍ବାଚନ ପାଇଁ ସବୁ କରୁଛନ୍ତି ବୋଲି କଂଗ୍ରେସ କହିଛି । ବିରୋଧ ଭିତରେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଆସନ୍ତା ୩ ବର୍ଷରେ ରାଜ୍ୟର ସମସ୍ତଙ୍କ ପାଖରେ ପକ୍କା ଘର ହୋଇଯିବ । ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ତଥା ପଂଚାୟତରାଜ ଦିବସରେ ନବୀନ ଏନେଇ ବଡ଼ ଘୋଷଣା କରିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି ।