ଓଡିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷ ସ୍ମୃତିର ହେବ ଶୁଭାରମ୍ଭ । ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଉତ୍ସବରେ ହେବେ ସାମିଲ

176

କନକ ବ୍ୟୁରୋ: ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ଝଟକିବ ବୀର ପାଇକଙ୍କ ସ୍ମାରକୀ ପୀଠ । ଆଜି ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଐତିହାସିକ ବରୁଣେଇର ପାଦଦେଶରେ ରଷ୍ଟ୍ରପତିଙ୍କ ଦ୍ୱାରା ଓଡିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷ ସ୍ମୃତିର ଶୁଭାରମ୍ଭ ହେବ । ଏଥିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଳାଦ ସିଂହ ପଟେଲ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟାଦ ମାନେ ଉପସ୍ଥିତ ରହିବେ ।

ଆଗାମୀ ଶତାବ୍ଦୀର ଓଡିଆ ଜାତିର ଲଢେଇ, ସଂଗ୍ରାମ, ତ୍ୟାଗ ତଥା ବଳିଦାନର ଏହା ପ୍ରତୀକ ହେବ । ବରୁଣେଇ ପାହାଡର ପାଦଦେଶରେ ଯେଉଁଠାରୁ ଓଡିଶାର ପୂର୍ବଜ ମାନେ ବ୍ରିଟିଶ ଶାସନ ବିରୋଧରେ ଲଢେଇ କରିଥିଲେ, ତାହାର ସ୍ମୃତିରେ ଏହି ସ୍ମାରକୀ ନିର୍ମାଣ ହେବା ସୌଭାଗ୍ୟର ବିଷୟ ନିଶ୍ଚୟ । ପାଇକ ସ୍ମାରକୀ ନିର୍ମାଣ କରିବା ପାଇଁ ଦୀର୍ଘ ଦିନ ହେବ ଦାବି ହେଇ ଆସୁଥିଲା । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏଥିପାଇଁ ୫୦ ଏକର ଜମି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ତେବେ ରାଜ୍ୟ ସରକାର ପାଇକ ବିଦ୍ରୋହର ମୁ୍କସାକ୍ଷୀ ବରୁଣେଇ ପାହାଡର ପାଦଦେଶରେ ୧୦ ଏକର ପରିମିତ ଜାଗା ଦେବାପରେ ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି ।