ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ…

318

କନକ ବ୍ୟୁରୋ: ପ୍ରଥମେ ଜୁହାର କଲେ । ଆଉ ପରେ ଜଗନ୍ନାଥ ଦେଶର ମହାନ ସନ୍ଥକବି ଭୀମ ଭୋଇଙ୍କର କବିତାର କାଳଜୟୀ ପଂକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଉଦ୍ଧୃତ କଲେ ଦେଶର ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ହିନ୍ଦୀ ଭାଷାରେ ତାଙ୍କର ପ୍ରଥମ ଅଭିଭାଷଣ ରଖିବା ସମୟରେ ଭୀମ ଭୋଇଙ୍କ କବିତାର ଏହି ପ୍ରଖ୍ୟାତ ପଂକ୍ତିଟିକୁ ଓଡ଼ିଆରେ କହିଥିଲେ । ଆଉ ପରେ ସେ ଏହାକୁ ହିନ୍ଦୀରେ ମଧ୍ୟ ଅନୁବାଦ କରିଥିଲେ ।

ରାଷ୍ଟ୍ରପତି ଭାବେ ନିଜର ପ୍ରଥମ ଅଭିଭାଷଣରେ  ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ସେ ଦେଶର ପ୍ରଥମ ରାଷ୍ଟ୍ରପତି, ଯାହାଙ୍କର ଜନ୍ମ ସ୍ୱାଧୀନ ଭାରତରେ ହୋଇଛି । ଏହି ଅବସରରେ ମୋତେ ରାଷ୍ଟ୍ରପତି କରାଯିବା ମୋ ପାଇଁ ଗର୍ବର କଥା । ଦେଶ ଯେତେବେଳେ ସ୍ୱାଧୀନତାର ୫୦ ବର୍ଷ ପାଳନ କରୁଥିଲା, ସେତେବେଳେ ଦ୍ରୌପଦୀଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ବୋଲି ତାଙ୍କ ଅଭିଭାଷଣରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ।

କ’ଣ କହିଲେ ରାଷ୍ଟ୍ରପତି

– ଉଦବୋଧନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କୁ ଭୋଟ୍ ଦେଇଥିବା ସାଂସଦ ଓ ବିଧାୟକଙ୍କୁ କୃତଜ୍ଞତା

– ରାଷ୍ଟ୍ରପତି ପଦରେ ପହଞ୍ଚିବା ବ୍ୟକ୍ତିଗତ ଉପଲବ୍ଧି ନୁହେଁ

– ଏହା ଭାରତର ପ୍ରତ୍ୟେକ ଗରିବଙ୍କ ଉପଲବ୍ଧି

– ଗରିବ, ପଛୁଆ ବର୍ଗ ଓ ଆଦିବାସୀମାନେ ମୋତେ ନିଜର ପ୍ରତିନିଧି ଭାବେ ଦେଖୁଥିବାରୁ ବହୁତ ଖୁସି

– ପ୍ରତିଟି କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ଅଗ୍ରାଧିକାରୀ ଦିଆଯାଉ, ଯଦ୍ୱାରା ସେମାନେ ସଶକ୍ତ ହୋଇପାରିବେ

– ଦେଶର ସମସ୍ତ ନାଗରିକଙ୍କ ବିଶ୍ୱାସ, ସହଯୋଗ ଓ ଆତ୍ମୀୟତା, ଆଗକୁ ବଢ଼ିବାରେ ସହାୟତା କରିବ

– ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଗଠନ ପାଇଁ କରିବେ ସବୁ ସହଯୋଗ

– ଏକ ୱାର୍ଡ କାନସିଲରରୁ ଭାରତର ରାଷ୍ଟ୍ରପତି ହେବା, ଭାରତୀୟ ଗଣତନ୍ତ୍ରର ମହାନତାକୁ ଦର୍ଶାଉଛି

– ଭାରତ ପ୍ରତିଟି କ୍ଷେତ୍ରରେ ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିବାରେ ଲାଗିଛି

– କୋଭିଡ୍ ବିରୋଧରେ ଭାରତର ଲଢ଼େଇ ବିଶ୍ୱ ଦରବାରେ ପରିଚିତ ହୋଇପାରିଛି

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁ ଯୁବଗୋଷ୍ଠୀଙ୍କୁ ବଡ଼ ବାର୍ତା ଦେଇଥିଲେ । ସେ କହିଛନ୍ତି ଯେ ଯୁବଗୋଷ୍ଠୀଙ୍କୁ ନିଜର ନୁହେଁ, ଦେଶର ଭବିଷ୍ୟତ ପାଇଁ ମୁଳଦୂଆ ପକାଇବାକୁ ପରାମର୍ଶ ଦେଇଛନ୍ତି । ସମ୍ବିଧାନକୁ ଦୃଷ୍ଟିରେ ରଖି ପୂରା ନିଷ୍ଠାର ସହ କାମ କରିବେ ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।