କେଉଁଠି ରହିବେ କୋବିନ୍ଦ? ପଦ ଛାଡିବା ପରେ ଏହି ଘରେ ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଢନ୍ତୁ …

468

କନକ ବ୍ୟୁରୋ: ଚଳିତ ମାସରେ ଶେଷ ହେବାକୁ ଯାଉଛି ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ରାଷ୍ଟ୍ରପତି ପଦ ଛାଡିବା ପରେ ସେ କେଉଁଠାରେ ରହିବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଦେଖିବାକୁ ମିଳିଛି । ସେ ରହିବାକୁ ଥିବା ଘରେ କିଏ ରହୁଥିଲେ, କେବେ ଯାଏଁ କଣ ତାଙ୍କୁ ସୁବିଧା ମିଳିବ ଏହାକୁ ନେଇ ମଧ୍ୟ ଅନେକଙ୍କ ମଧ୍ୟରେ ଉତ୍ସୁକତା ଲାଗିରହିଛି । ସେପଟେ ଆଗାମୀ ରାଷ୍ଟ୍ରପତି ପାଇଁ ଜୁଲାଇ ୧୮ରେ ମତଦାନ ଏବଂ ଜୁଲାଇ ୨୧ରେ ମତଗଣନା ହେବ । ଏହା ପରେ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଦାୟିତ୍ୱ ନେବେ । ତେବେ ପଦ ଛାଡିବା ପରେ କୋବିନ୍ଦଙ୍କୁ ମିଳୁଥିବା ବିଭିନ୍ନ ସୁବିଧାରେ ପରିବର୍ତ୍ତନ ହେବ । ସେ ରାଷ୍ଟ୍ରପତି ଭବନ ଛାଡି ନୂଆ ଘରକୁ ଯିବେ । ତେବେ ଶୁଣିବାକୁ ମିଳୁଛି ଯେ ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ୧୨ ଜନପଥ ହେବ । ଏଠାରେ ମହାମହିମ କୋବିନ୍ଦ ରହିବେ । ଅପ୍ରେଲ ମାସରେ ଏହାର ରିନୋଭେସନ କାମ ଶେଷ ହୋଇଛି । ଘରର ବିଭିନ୍ନ ମରାମତି ପରେ ଏହା ପ୍ରସ୍ତୁତ ହୋଇ ରହିଛି ।

ଆସନ୍ତୁ ଜାଣିବା ରାମନାଥ କୋବିନ୍ଦଙ୍କ ନୂଆ ଠିକଣା କଣ ଏବଂ କେଉଁ ସୁବିଧା ତାଙ୍କୁ ମିଳିବ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ହେବକୁ ଯାଉଛି ୧୨ ଜନପଥ । ଏଠାରେ ଥିବା ସରକାରୀ ବଙ୍ଗଳାରେ ସେ ରହିବେ । ଏହି ବଙ୍ଗଳାରେ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ରହୁଥିଲେ । ଲୁଟିୟନ ଦିଲ୍ଲୀରେ ଥିବା ବଡ ବଡ ବଙ୍ଗଳା ମଧ୍ୟରୁ ଏହା ଅନ୍ୟତମ । ୨୦୨୦ରେ ରାମବିଳାସ ପାସୱାନଙ୍କ ଦେହାନ୍ତ ପରେ ଏହି ବଙ୍ଗଳାକୁ ଖାଲି କରାଯାଇଥିଲା । ଏହା ପରେ ଲମ୍ବା ସମୟ ଧରି ଏହାର ମରାମତି କରାଯାଇଥିଲା । ବର୍ତ୍ତମାନ ଏଠାରେ ମହାମହିମ କୋବିନ୍ଦ ରହିବାକୁ ଯାଉଛନ୍ତି । ତେବେ ଏନେଇ ଅନ୍ତିମ ମୋହର ଲାଗିବା ବର୍ତ୍ତମାନ ବାକି ରହିଛି ।

ରାଷ୍ଟ୍ରପତି ପଦରୁ ଅବସର ପରେ ତାଙ୍କୁ ପ୍ରେସିଡେଣ୍ଟଇମୋଲ୍ୟୁମେଣ୍ଟ ଆକ୍ଟ-୧୯୫୧ ଅନୁସାରେ ସମସ୍ତ ସୁବିଧା ସୁଯୋଗ ମିଳିଥାଏ । ଏଥିରେ ସେମାନଙ୍କୁ ଅନେକ ପ୍ରକାରର ସୁବିଧା ସୁଯୋଗ ମିଳିଥାଏ । ସେମାନଙ୍କୁ ମାସିକ ପେନସନଠାରୁ ନେଇ ଜୀବନବ୍ୟାପି ମାଗଣା ରେଳ ଏବଂ ଫ୍ଲାଇଟରେ ଯିବାର ସୁବିଧା ମିଳିଥାଏ । ପ୍ରେସିଡେଣ୍ଟଇମୋଲ୍ୟୁମେଣ୍ଟଆକ୍ଟ-୧୯୫୧ ଅନୁସାରେ ଭାରତର ରାଷ୍ଟ୍ରପତି ଆହୁରି ଅନ୍ୟ ସୁବିଧା ମିଳିଥାଏ । ଜଣେ ସବୋର୍ଚ୍ଚ ପଦରୁ ଅବସରପରେ ମାସିକ ତାଙ୍କୁ ୫ ଲକ୍ଷ ଟଙ୍କା ପେନସନ ପାଇଥାଏ । ଦେଖାଶୁଣା କରିବା ପାଇଁ ୨ ଜଣ ସଚିବ ଏବଂ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସର ଦୁଇ ଯବାନ ନିୟୋଜିତ ହୋଇଥାନ୍ତି । ଏହାଛଡା ୫ ଜଣ ବ୍ୟକ୍ତିଗତ ସହାୟକ ମଧ୍ୟ ତାଙ୍କୁ ମିଳିଥାଏ । ସେ ରହୁଥିବା ଆବାସରେ ୨ଟି ଲାଣ୍ଡଲାଇନ, ଗୋଟିଏ ମୋବାଇଲ ଏବଂ ଇଣ୍ଟରନେଟ କନେକସନ ଉପଲବ୍ଧ ହୋଇଥାଏ । ସେହିଭଳି ମାଗଣା ପାଣି ଏବଂ ବିଜୁଳୀ ମଧ୍ୟ ଉପଲବ୍ଧ ହୋଇଥାଏ । ସରକାରଙ୍କ ପକ୍ଷରୁ ତାଙ୍କୁ କାର ଏବଂ ଡ୍ରାଇଭର ମଧ୍ୟ ଯୋଗାଇ ଦିଆଯାଇଥାଏ । ସେ ବାବଦ ଖର୍ଚ୍ଚ ମଧ୍ୟ ସରକାର ତୁଲାଇଥାନ୍ତି । ପ୍ରତିମାସରେ ଗାଡିରେ ୨୫୦ ଲିଟର ତେଲ ପ୍ରଦାନ କରାଯାଇଥାଏ । ଅବସରେ ପରେ ଜୀବନବ୍ୟାପି ତାଙ୍କୁ ରେଳ ଏବଂ ବିମାନରେ ମାଗଣା ଯିବାଆସିବାର ସୁବିଧା ଉପଲବ୍ଧ କରାଯାଇଥାଏ । ଏହା ସହ ତାଙ୍କ ପତ୍ନୀଙ୍କୁ ମାସିକ ୩୦ ହଜାର ଟଙ୍କା ସହାୟତା ମିଳିଥାଏ ।

ରାମନାଥ କୋବିନ୍ଦଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ପ୍ରଣବ ମୁଖାର୍ଜୀ ମଧ୍ୟ ସେବାନିବୃତ ହେବା ପରେ ଦିଲ୍ଲୀରେ ରହିବାକୁ ଇଚ୍ଛା କରିଥିଲେ । ଅବସର ପରେ ତାଙ୍କ ନୂଆ ଠିକଣା ପାଲଟିଥିଲା ୧୦ ରାଜାଜୀ ମାର୍ଗରେ ଥିବା ବଙ୍ଗଳା । ଏହି ବଙ୍ଗଳାରେ ସେ ମୃୁତ୍ୟୁ ପର୍ଯ୍ୟନ୍ତ ରହିଥିଲେ । ତେବେ କେବଳ ଯେ ପ୍ରଣବ ମୁଖାର୍ଜୀ ଏହି ବଙ୍ଗଳାରେ ରହୁନଥିଲେ ତାଙ୍କୁ ପୂର୍ବରୁ ଏହି ବଙ୍ଗଳାରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ମଧ୍ୟ ରହିଥିଲେ । ପରେ ଏହାକୁ ସେତେବେଳର କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ଆବଣ୍ଟିତ କରାଯାଇଥିଲା କିନ୍ତୁ ପ୍ରଣବ ମୁଖାର୍ଜୀଙ୍କୁ ଏହି ଘର ପ୍ରଦାନ ପରେ ସେ ଘର ଛାଡିଥିଲେ ।

ସେହିଭଳି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲ ସେବାନିବୃତ ହେବା ପରେ ପୁଣେରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ପୁଣେର ଖାଡକି କେଣ୍ଟରେ ତାଙ୍କ ପାଇଁ କେନ୍ଦ୍ର ସରକାର ରହିବାର ବ୍ୟବସ୍ଥା କରିଥିଲେ । ୨.୬ ଲକ୍ଷ ବର୍ଗ ଫୁଟରେ ଥିବା ଏହି ଘରକୁ ପ୍ରତିଭାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । ପରେ କିଛି ବିବାଦ ପରେ ସେ ଘର ଖାଲି ମଧ୍ୟ କରିଥିଲେ । ତେବେ ପୂର୍ବତନ ରାଷ୍ଟ୍ରପତିଙ୍କ ଇଚ୍ଛାନୁସାରେ ସେମାନଙ୍କ ରହିବାର ବ୍ୟବସ୍ଥା କରାଯାଇଥାଏ ।

ଅବସର ପରେ ଯଦି ପୂର୍ବତନ ରାଷ୍ଟ୍ରପତି କିମ୍ବା ତାଙ୍କ ପତି କିମ୍ବା ପତ୍ନୀ ପୁଣି ଏହି ପଦ ପାଇଁ ନିର୍ବାଚିତ ହୋଇଥାନ୍ତି ତେବେ ସେହି ସେବା ଆଉ ଉପଲବ୍ଧ ହେବ ନାହିଁ । ଏହିଭଳି ଭାବେ ପୂର୍ବତନ ରାଷ୍ଟ୍ରପତିଙ୍କ ଇଚ୍ଛାମୁତାବକ ତାଙ୍କୁ ଘର ଆବଣ୍ଟିତ କରାଯାଇଥାଏ ।