୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତଦେହକୁ ସୁରକ୍ଷିତ ରଖିବା ପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶ । ଡିସେମ୍ବର ୯ ତାରିଖ ଯାଏଁ ସଂରକ୍ଷିତ ରହିବ ଶବ

ପ୍ରିନସପାଲ ଡିଷ୍ଟ୍ରିକ୍ଟ ଜଜଙ୍କୁ ପୋଷ୍ଟମର୍ଟମର ଭିଡିଓକୁ ସିଡିରେ ଦେବା ପାଇଁ କହିଲେ ହାଇକୋର୍ଟ

1,403

କନକ ବ୍ୟୁରୋ: ହାଇଦ୍ରାବାଦ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କ ମୃତଦେହକୁ ସଂରକ୍ଷିତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ଆସନ୍ତା ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ କହିଛନ୍ତି ହାଇକୋର୍ଟ । ଏଥିସହ ପୋଷ୍ଟମର୍ଟମର ଭିଡିଓକୁ ସିଡି କିମ୍ବା ପେନଡ୍ରାଇଭରେ ମେହବୁବନଗରର ପ୍ରିନିସପାଲ ଡିଷ୍ଟ୍ରିକ୍ଟ ଜଜଙ୍କୁ ଦେବା ପାଇଁ କହିଛନ୍ତି । କିଛି ମାନବାଧିକାର କର୍ମୀ ଏବଂ ମହିଳା ସଂଗଠନ କରିଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୯ ତାରିଖରେ ଏହି ମାମଲାର ପରବର୍ତି ଶୁଣାଣି ହେବ ।

 

ସେପଟେ, ସାରା ଦେଶରେ ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଷ୍କର୍ମ ନେଇ ବଡ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ନାବାଳିକା ଦୁଷ୍କର୍ମକାରୀଙ୍କୁ କ୍ଷମା ନାହିଁ । ପ୍ରଚଳିତ କ୍ଷମା ପ୍ରାର୍ଥନା ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଆବଶ୍ୟକ । ରାଷ୍ଟ୍ରପତି କହିଛନ୍ତି, ଦୁଷ୍କର୍ମ ଭଳି ଘଟଣା ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଉଛି । କିଭଳି ଏହାକୁ ରୋକି ହେବ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଦୁଷ୍କର୍ମ ନିରୋଧୀ ଆଇନରେ ଆହୁରି ସଂସ୍କାର ଆସିବା ଆବଶ୍ୟକ ବୋଲି ରାଜସ୍ଥାନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ରାଷ୍ଟ୍ରପତି ।

ସଫା ହେଲେ ସଇତାନ । ହାଇଦ୍ରାବାଦର ମହିଳା ଡାକ୍ତର ଗଣଦୁଷ୍କର୍ମକାରୀଙ୍କୁ ପୋଲିସ ଏନକାଉଣ୍ଟର କରିଛି । ହାଇଦ୍ରାବାଦ ପୋଲିସ କହିଛି, ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସେଦିନର ପୁରା ଘଟଣା ଜାଣିବାକୁ ଉଦ୍ୟମ କରାଯାଉଥିବା ବେଳେ ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇଥିଲେ । ଏହାର ଜବାବରେ ଆତ୍ମରକ୍ଷା ପାଇଁ ପୁଲିସ ସେମାନଙ୍କୁ ଏନକାଂଉଟର କରିଛି । ବଡ କଥା ହେଉଛି, ଯେଉଁଠି ନୃଶଂସତାର ସୀମା ଟପି ସଇତାନମାନେ ଅପରାଧ ଘଟାଇଥିଲେ, ସେହି ସ୍ଥାନରେ ସେମାନଙ୍କ ଅନ୍ତ ଘଟିଛି  ।