କୋଇଲି ବୈକୁଣ୍ଠର ଅବସ୍ଥା ଏମିତି… । ଗଦା ହୋଇଛି ଶ୍ରୀମନ୍ଦିରର ବର୍ଜ୍ୟ, ଭାଙ୍ଗିଯାଇଛି ଜଳ ଫୁଆରା ।

148

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିସରସ୍ଥ କୋଇଲି ବୈକୁଣ୍ଠକୁ ବିଷ୍ଣୁଙ୍କର ପରମ ବୈକୁଣ୍ଠ ସ୍ଥଳ ବୋଲି କୁହାଯାଏ। ମାତ୍ର ମୋକ୍ଷ ପ୍ରଦାନର ଏହି ପୁଣ୍ୟ ସ୍ଥଳ ଏବେ ପାଲଟିଛି କବାଡ଼ିଖାନା। ଏହା ମଧ୍ୟରେ ଛିଡ଼ା ହୋଇଛି ଭଙ୍ଗାରୁଜା ‌ବର୍ଜ୍ୟର ପାହାଡ଼। ଲୁହାବାଡ଼ଠୁ ନେଇ ଖୁଣ୍ଟି, ଫଳକ ଆଦି ଭଙ୍ଗା ଦଦରା ବର୍ଜ୍ୟକୁ ଏହା ମଧ୍ୟରେ ଦୀର୍ଘମାସ ହେଲା ଗଦାଇ ରଖାଯାଇଛି। ଫଳରେ ମହାପ୍ରଭୁଙ୍କ ମାନବୀୟ ଲୀଳାର ଅନୁଭବ ନେବାକୁ ଏହା ମଧ୍ୟକୁ ଶ୍ରଦ୍ଧାରେ ପ୍ରବେଶ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହା ଦୃଶ୍ୟ କଟୁ ହେଉଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବର କରିଡର୍‌ ପାଇଁ ପ୍ରଶାସନ କାମ ଆରମ୍ଭ କରିସାରିଲେଣି। ଅଥଚ ଶ୍ରୀମନ୍ଦିର ପରିସରର ସୌନ୍ଦର୍ଯ୍ୟ ରକ୍ଷା କରିବାକୁ ଭୁଲିଯାଇଛି। ଏହା ମଧ୍ୟରୁ କେବେ ବର୍ଜ୍ୟ କେବେ ହଟିବ, ସେନେଇ ବି କାହା ପାଖରେ ନିର୍ଦ୍ଦିଷ୍ଟ ଜବାବ ନାହିଁ। ଶ୍ରୀମନ୍ଦିରର ଉତ୍ତର ଦ୍ବାର ନିକଟସ୍ଥ ପଶ୍ଚିମରେ କୋଇଲି ବୈକୁଣ୍ଠ ରହିଛି। ମହାପ୍ରଭୁଙ୍କ ନବକଳେବର ସମୟରେ ଶ୍ରୀଜିଉଙ୍କ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଦାରୁକୁ କୋଇଲି ବୈକୁଣ୍ଠ ଅଣାଯାଏ। ନୂତନ ବିଗ୍ରହ ନିର୍ମାଣ କରାଯାଏ। ଶ୍ରୀଜିଉଙ୍କ ନବକ‌ଳେବର ସମ୍ପନ୍ନ ହେଉଥିବାବେଳେ ପୁରାତନ ବିଗ୍ରହଙ୍କୁ ଏହି ପବିତ୍ର ସ୍ଥଳରେ ପାତାଳି କରାଯିବାର ବିଧି ରହିଛି। କିମ୍ବଦନ୍ତୀ ମୁତାବକ ମହାଭାରତ ଯୁଦ୍ଧ ସରିଯିବା ପରେ ଶ୍ରୀକୃଷ୍ଣ ଶିଆଳି ଲତା ଭିତରେ ନିଜକୁ ଆଚ୍ଛନ୍ନ କରି ଏଇଠି କିଛି ସମୟ କଟାଇଥିଲେ। ବିଶ୍ରାମ ସମୟରେ ଜାରାଶବର ତାଙ୍କୁ ତୀରାଘାତ କରିଥିଲା। ତେଣୁ ଏଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା କଥିତ ଅଛି। ‌ସ୍ବୟଂ ବିଷ୍ଣୁଙ୍କ‌ ଶେଷ ନିଃଶ୍ବାସ ଯାଇଥିବାରୁ ଏହି ସ୍ଥାନ ମୋକ୍ଷ ପ୍ରଦାନର ପୁଣ୍ୟ ସ୍ଥଳ ବୋଲି ବିଚାର କରାଯାଏ। ତେଣୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପରେ ମାନବୀୟ ଲୀଳା ‌ପ୍ରତ୍ୟକ୍ଷ କରିବା ପାଇଁ କୋଇଲି ବୈକୁଣ୍ଠକୁ ଆସନ୍ତି। ହେଲେ ଏହି ବୈକୁଣ୍ଠପୁରକୁ ପ୍ରବେଶ ମାତ୍ରେ ଡାହାଣ ଓ ବାମ ପାର୍ଶ୍ବରେ ବର୍ଜ୍ୟ ଗଦା ହୋଇଥିବା ଦେଖି ଶ୍ରଦ୍ଧାଳୁଙ୍କ ମନ ମରିଯାଉଛି। ବର୍ଜ୍ୟବସ୍ତୁଗୁଡ଼ିକ ଦୀର୍ଘଦିନ ହେଲା ପଡ଼ି ରହୁଥିବା ସତ୍ତ୍ବେ ଏହାକୁ ବାହାରକୁ ଆଣିବାରେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଆନ୍ତରିକତା ଦେଖାଉନାହିଁ‌ ବୋଲି ଭକ୍ତମାନେ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ତୁଳସୀ, ଦୟଣା, ରଜନୀଗନ୍ଧା, ଜୁଇ, ଧଳା ରଙ୍ଗର ବିରଳ ଫୁଲଠୁ ନେଇ ବିଭିନ୍ନ ରକମର ଫୁଲ ଚାଷ କରାଯାଏ । ୪ ଜଣ ମାଳି ଏହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ଅଛନ୍ତି। ମାତ୍ର ଭକ୍ତଙ୍କୁ ଟାଣି ଆଣୁଥିବା ଏହି ମର୍ତ୍ତ୍ୟ ବୈକୁଣ୍ଠର ସୌନ୍ଦର୍ଯ୍ୟ ପ୍ରତି ପ୍ରଶାସନ ଗୁରୁତ୍ବ ଦେଉନାହିଁ। ଏହାମଧ୍ୟରେ ଥିବା ଜଳ ଫୁଆରା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। କଇଁ ପୋଖରୀଟି ମଧ୍ୟ ନଷ୍ଟ ହୋଇଯାଇଛି। ପୂର୍ବରୁ କୋଇଲି ବୈକୁଣ୍ଠକୁ ନିଲାମ ଦିଆଯାଉଥିବାରୁ ଭକ୍ତମାନେ ଟିକେଟ୍‌ କରି ଏହା ମଧ୍ୟକୁ ପ୍ରବେଶ କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଭକ୍ତମାନଙ୍କ ଅଭିଯୋଗ ପରେ ଏହାକୁ ଦେୟମୁକ୍ତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେୟମୁକ୍ତ କରାଯିବା ପରେ ଭକ୍ତମାନେ ମାଗଣାରେ ଏହା ମଧ୍ୟରେ ବୁଲିବା ସହ ମହାପ୍ରଭୁଙ୍କ ଅତିପ୍ରିୟ ଫୁଲଗଛ ଏବଂ ଫୁଲ ଗୁନ୍ଥା ଘରେ ଫୁଲ ମାଳ ପ୍ରସ୍ତୁତିକୁ ଉପଭୋଗ କରନ୍ତି। ତେବେ ଦେୟ ମୁକ୍ତ କରିଦେବା ପରେ ଏହାର ସୌନ୍ଦର୍ଯ୍ୟକୁ ଅଣଦେଖା କରିବା ଭକ୍ତମାନଙ୍କର ହଜମ ହେଉନାହିଁ। ବାହାର ପାର୍ଶ୍ବକୁ ସଜାଡ଼ିବା ପାଇଁ ୩୨ଶହ କୋଟି ଟଙ୍କାରେ ନୀଳ ନକ୍ସା ଅଙ୍କାଯାଇଛି। ମନ୍ଦିର ବାହାରେ ୭୫ ମିଟର ପରିଧି ମଧ୍ୟରେ ଐତିହ୍ୟ କରିଡର ନିମନ୍ତେ ୮ଶହ କୋଟି ଟଙ୍କା ଖର୍ଚ୍ଚ କରିବା ଦିଗରେ ସରକାର ତତ୍ପର ହୋଇଛନ୍ତି। ଅଥଚ ଘର ଭିତରର ଉଜୁଡ଼ା ସୌନ୍ଦର୍ଯ୍ୟକୁ ସଜାଡ଼ିବାକୁ ଆନ୍ତରିକତା ପ୍ରକାଶ ପାଉନଥିବା ଦେଖିବାକୁ ମିଳିଛି।