ସାଧାରଣ ନିର୍ବାଚନ ପାଇଁ ସଜବାଜ ! ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା, ପ୍ରଥମ ଥର ପାଇଁ ରାଜ୍ୟରେ ବ୍ୟବହାର ହେବ ଭିଭିପାଟ୍ ମେସିନ୍ ।

380

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛି ଓଡିଶା । ନିର୍ବାଚନକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେଇଛି ନିର୍ବାଚନ ଆୟୋଗ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ପ୍ରେସମିଟ କରିଛନ୍ତି । ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଚାଲିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି, ସଂଶୋଧନର ଅବଧି ବଢାଯାଇଛି । ସଂଶୋଧନ ସରିବା ପରେ ଆସନ୍ତା ୨୧ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି । ୨ ଲକ୍ଷ ଦିବ୍ୟାଙ୍ଗ ଭୋଟର ଚିହ୍ନଟ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସମୟରେ ହେବ । ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା ଜାରି ରହିଛି । ପ୍ରଥମ ଥର ପାଇଁ ଓଡିଶାରେ ଭିଭିପାଟ ମେସିନ ବ୍ୟବହାର ହେବ । ଇଭିଏମ ଓ ଭିଭିପାଟ ସଂପର୍କରେ ବ୍ୟାପକ ପ୍ରଚାର କରାଯିବ । ସବୁ ରାଜ୍ୟ ଓ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଭୋଟରଙ୍କୁ ଭିଭିପାଟ ନେଇ ଅବଗତ ହେବାକୁ ଅନୁରୋଧ କରାଯାଇଛି । ପ୍ରଶିକ୍ଷଣ ଦେବାକୁ ୮୦ ମାଷ୍ଟର ଟ୍ରେନର ଦିଲ୍ଲୀରୁ ଆସିବେ । ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହୋଇଛି । ଜାନୁୟାରୀ ୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଅନୁଷ୍ଠିତ ହେବ ।

ଆମ ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଇସିଆଇଏଲ୍, ହାଇଦ୍ରାବାଦ ଦ୍ୱାରା ପ୍ରସ୍ତୁତ ଇଭିଏମ ବା ଭିଭିପାଟ୍ ମାଧ୍ୟମରେ ନିର୍ବାଚନ ପରିଚାଳନା କରିଯିବା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ବୁଥରେ ଭିଭିପାଟ୍ ମେସିନ୍ ବ୍ୟବହାର କରାଯିବ । ଯଦିଓ ବିଜେପୁର ଉପ ନିର୍ବାଚନରେ ଭିଭିପାଟ୍ ବ୍ୟବହାର କରାଯାଇଛି, ତଥାପି ସମଗ୍ର ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଇଭିଏମର ସ୍ୱଚ୍ଛତା ରକ୍ଷା ନିମନ୍ତେ ନିର୍ବାଚନ ଆୟୋଗ ଭିଭିପାଟର ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।