ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । କନ୍ଧମାଳରୁ ଆସିଲା ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ।

109

କନକ ବ୍ୟୁରୋ : ରାଜ୍ୟର ଉପାନ୍ତ ଓ ଦୁର୍ଗମ ଇଲାକାରେ ଗର୍ଭବତୀ ମହିଳାଙ୍କ ନିକଟରେ ଆମ୍ବୁଲାନ୍ସ ସେବା ସହଜରେ ପହଞ୍ଚି ପାରୁନାହିଁ । ଭଲ ରାସ୍ତା ନଥିବାରୁ ଗର୍ଭବତୀମାନେ ଡାକ୍ତରଖାନାରେ ପହଞ୍ଚିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ଘଟୁଛି । ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଗଞ୍ଜାମ-କନ୍ଧମାଳ ସୀମାନ୍ତ ଇଲାକାରୁ । କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ୍ ଚାହାଳି ପଞ୍ଚାୟତର ଜଣେ ଗର୍ଭବତୀଙ୍କ ନିକଟରେ ଜନନୀ ଏକ୍ସପ୍ରେସ ଗାଡ଼ି ପହଞ୍ଚି ପାରିନଥିବା ବେଳେ ତାଙ୍କୁ ଖଟିଆରେ ବୁହାଇ ଆମ୍ବୁଲାନ୍ସ ନିକଟକୁ ଆଣିବା ଭଳି ଘଟଣା ସାମ୍ନାକୁ ଆସିଛି । ଆଉ ଗର୍ଭବତୀଙ୍କୁ ଖଟିଆରେ ବୁହା ହେବା ଘଟଣା ସରକାରୀ ଯୋଜନା ଗୁଡ଼ିକୁ ତାତ୍ସଲ୍ୟ କରୁଥିବା ଭଳି ମନେ ହେଉଛି ।

କନ୍ଧମାଳ ଜିଲ୍ଲାର ଉପାନ୍ତ ଇଲାକା ଭାବେ ପରିଚିତ ଚାହାଳି ପଞ୍ଚାୟତର କମ୍ଭାରିଗୋଚ୍ଛା ଗ୍ରାମର ଅର୍ଜୁନ ମଲ୍ଲିକଙ୍କ ପତ୍ନୀ ସରୋଜିନୀ ମଲ୍ଲିକଙ୍କୁ ଆଜି ଗର୍ଭ ଯନ୍ତ୍ରଣା ହୋଇଥିଲା । ସଂପୃକ୍ତ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାର ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବାରୁ ଅର୍ଜୁନ ଗାଲେରୀ ମେଡିକାଲ୍ ସହ ଯୋଗାଯୋଗ କରିଥିଲେ । ଏହାପରେ ଜନନୀ ଏକ୍ସପ୍ରେସରେ ସରୋଜିନୀଙ୍କୁ ଆଣିବା ପାଇଁ କମ୍ଭାରୀ ଗୋଚ୍ଛା ଅଭିମୁଖେ ବାହାରିଥିଲା । କିନ୍ତୁ କମ୍ଭାରୀଗୋଚ୍ଛା ଗ୍ରାମଠାରୁ ୪ କିମି ଦୂର ରଗାପାଦୁ ଠାରୁ ଆମ୍ବୁଲାନ୍ସ ଆଉ ଗ୍ରାମକୁ ରାସ୍ତା ନଥିବାରୁ ଯାଇ ପାରୁନଥିଲା । ଆମ୍ବୁଲାନ୍ସ କର୍ମଚାରୀ ଗାଡ଼ି ଆସି ପାରିବ ନାହିଁ କହିବାରୁ ବାଧ୍ୟ ହୋଇ ଗ୍ରାମର କିଛି ଲୋକଙ୍କ ସହାୟତାରେ ଅର୍ଜୁନ ଏକ ଖଟିଆରେ ନିଜ ସ୍ତ୍ରୀକୁ ଆମ୍ବୁଲାନ୍ସକୁ ବୋହି ନେଇଥିଲେ । ଅଜୁର୍ନ ଏବଂ ତାଙ୍କର ଦୁଇ ବନ୍ଧୁଙ୍କ ସମେତ ଅର୍ଜୁନଙ୍କ ମାଆ ଆସିଥିଲେ । ସାଙ୍ଗରେ ସ୍ଥାନୀୟ ଆଶା କର୍ମୀ ମଧ୍ୟ ଚାଲି ଚାଲି ଆସିଥିଲେ । ଦୀର୍ଘ ୪ କିମି ଖଟିଆରେ ସରୋଜିନୀଙ୍କୁ ବୋହି ଆଣିବା ପରେ ରଗପାଦୁ ଠାରୁ ଜନନୀ ଏକ୍ସପ୍ରେସରେ ଗାଲେରୀ ମେଡିକାଲକୁ ଆଣିଥିଲେ । ସେଠାରେ ସରୋଜିନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଉଭୟ ମାଆ ଓ ପୁଅ ସୁସ୍ଥ ରହିଥିବାରୁ ପୁଣି ସେହି ଆମ୍ବୁଲାନ୍ସରେ ଘରକୁ ଫେରିଥିଲେ । ରଗାପାଦୁ ଠାରୁ ପୁଣି ତାଙ୍କୁ ଖଟିଆରେ କମ୍ଭାରିଗୋଚ୍ଛା ନିଆଯାଇଥିବା ଜଣାପଡିଛି ।