ସମ୍ଭାବ୍ୟ ବାତ୍ୟା କେଉଁଠି କରିବ ଲ୍ୟାଣ୍ଡଫଲ? ଜାଣନ୍ତୁ କଣ କହିଲେ ଆଇଏମଡି ଡିଜି?

555

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ ଅପଡେଟ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଆସନ୍ତାକାଲି ସନ୍ଧ୍ୟାରେ ଅବପାତର ରୂପ ନେବ । ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ବର୍ତ୍ତମାନ ପାଇଁ ଓଡ଼ିଶା ଉପରେ କୌଣସି ପ୍ରଭାବ ବାତ୍ୟାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ।

ତେବେ ସମୟ ବିତିବା ସହ ଧୀରେ ଧୀରେ ଓଡ଼ିଶା-ଆନ୍ଧ୍ର ଉପକୂଳ ନିକଟରେ ସମୁଦ୍ର ଅଶାନ୍ତ ରହିବ । ୯ ତାରିଖରୁ ପବନର ବେଗର ସମୁଦ୍ର ଭିତରେ ତୀବ୍ର ହେବ । ଏହି ସମୟରେ ପବନର ବେଗ ସମୁଦ୍ରରେ ୮୦ରୁ ୯୦ କିଲୋମିଟର ରହିପାରେ । ତେଣୁ ମତ୍ସ୍ୟଜୀବୀ ମାନେ ୮ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି । ବର୍ତ୍ତମାନ ସୁଦ୍ଧା କେଉଁ ଉପକୂଳ ଦେଇ ବାତ୍ୟା ଗତି କରିବ ତାହା ଜଣା ପଡିନାହିଁ । ଓଡ଼ିଶା ଉପକୂଳକୁ ଆସିବ କି ନାହିଁ ସେନେଇ ଏବେସୁଦ୍ଧା ସ୍ପଷ୍ଟ ଭାବେ କହିହେବନି । ସେହିଭଳି ବାତ୍ୟାର ରିକର୍ଭକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନି । ୧୦ ତାରିଖରେ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି । ତେବେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା କେତେ ରହିବ ଓ ଏହାର ପ୍ରଭାବ କଣ ପଡିବ ସେନେଇ ଆସନ୍ତାକାଲି ଅବପାତରେ ପରିଣତ ହେଲା ପରେ ଜଣାପଡିବ ।