ସାଧାରଣ ନିର୍ବାଚନ ପାଇଁ ବାଜିଲା କି ବିଗୁଲ ? ପ୍ରସ୍ତୁତି ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

25

କନକ ବ୍ୟୁରୋ : ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ପୁଣି ଜୋରଧରିଲା ଚର୍ଚ୍ଚା । ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ପୁଣି ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି । ଯଦିଓ ଜିଲ୍ଲାପାଳମାନଙ୍କୁ ଲେଖାଯାଇଥିବା ଚିଠିରେ ମାର୍ଚ୍ଚରୁ ମେ’ ମଧ୍ୟରେ ନିର୍ବାଚନ ହୋଇପାରେ ବୋଲି ସୂଚନା ଦିଆଯାଇଛି । ବିଜେଡି କହିଛି ଭୋଟର ତାଲିକା ସଂଶୋଧନ ଅବଧିକୁ ଅକ୍ଟୋବର ଯାଏଁ ବଢାଯାଇଥିବାରୁ ଆଗୁଆ ନିର୍ବାଚନ ନେଇ ସଂକେତ ମିଳୁଛି । ତଥାପି ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ବିଜେପି ମଧ୍ୟ ସମାନ ଢଙ୍ଗରେ ପ୍ରତିକ୍ରିୟା ରଖିଥିବାବେଳେ କଂଗ୍ରେସ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛି ।

ଜୁନ ୧୨ ତାରିଖରେ ରାଜ୍ୟର ସବୁ ଜିଲ୍ଲାପାଳ ମାନଙ୍କୁ ଲେଖାଯାଇଥିବା ଚିଠିରୁ ଜଣାପଡୁଛି ଯେ, ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ନିର୍ବାଚନ କମିଶନ୍ । ପୁଲିଂ ପାର୍ଟିର ଯାତାୟାତ, ଷ୍ଟ୍ରଂଗ ରୁମ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମି ନେଇ ଜୁନ୍ ୨୦ ସୁଦ୍ଧା ରିପୋର୍ଟ ଦେବାକୁ ଚିଠିରେ କୁହାଯାଇଥିଲା । ଯଦିଓ ଚଳିତ ଆର୍ଥିକ ବର୍ଷର ଶେଷ କିମ୍ବା ଆଗାମୀ ଆର୍ଥିକ ବର୍ଷ ଆରମ୍ଭରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଚିଠିରେ ସୂଚନା ଦିଆଯାଇଛି, କିନ୍ତୁ କେନ୍ଦ୍ରରେ ମୋଦି ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କରାଇପାରନ୍ତି ବୋଲି ଚର୍ଚ୍ଚା ବି ଥମିନହିିଁ ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଫର୍ମୁଲା ଉପରେ ମୋଦି ସରକାର ଜୋର ଦେଉଥିବା ବେଳେ ଭାରତ ପରି ଏକ ବୃହତ ରାଷ୍ଟ୍ରରେ ସବୁତକ ନିର୍ବାଚନ ଏକାଠି କରାଇବା ଏତେ ସହଜ ନୁହେଁ । ତେଣୁ ପ୍ରଥମ ପର୍ଯ୍ୟାୟରେ ୨୦୧୯ ଲୋକସଭା ନିର୍ବାଚନ ସହ ୧୨ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏକାଠି କରାଇବାକୁ ଯୋଜନା କରିପାରେ ବିଜେପି ।

ଲୋକସଭା ନିର୍ବାଚନ ସହ ଓଡିଶା ସମେତ ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ମିଜୋରାମ, ସିକିମ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ହରିଆଣା, ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ କରାଇବାକୁ ମୋଦି ସରକାର ଚିନ୍ତା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରିକି ଗତ ଫେବ୍ରୁଆରୀ ୨୮ ତାରିଖରେ ଦିଲ୍ଲୀରେ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଓ ଉପମଖ୍ୟମନ୍ତ୍ରୀ ମାନଙ୍କୁ ଏନେଇ ବିଚାର ବିମର୍ଷ ହୋଇଛି ।

ଓଡିଶାରେ ୨୦୦୪ରୁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହୋଇଆସୁଛି । ତେବେ କଥା ଅଟକିଛି ଆଗୁଆ ନିର୍ବାଚନରେ । ସାମ୍ବିଧାନିକ ବ୍ୟବସ୍ଥା ଆନୁସାରେ ସଂଖ୍ୟାଗରିଷ୍ଠତା ଥିବା ଶାସକ ଦଳ ଚାହିଁଲେ ୬ମାସ ପୂର୍ବରୁ ନିର୍ବାଚନ କରାଇପାରିବେ । ଆଉ ସାଂପ୍ରତିକ ରାଜନୈତିକ ପରିସ୍ଥିତିକୁ ଦେଖିଲେ ବିଜେପି ଏଭଳି ପଦକ୍ଷେପ ନେବା କିଛି ଅସମ୍ଭବ ନୁହେଁ ବୋଲି ମନେ ହେଉଛି ।