ଟୋଙ୍ଗା ନିକଟରେ ପ୍ରଶାନ୍ତ ମହାସାଗର ମଧ୍ୟରେ ୮.୨ ତୀବ୍ରତାର ଭୂକମ୍ପ ଅନୁଭୂତ : ସୁନାମୀ ଡର ନାହିଁ କହିଲା ସ୍ଥାନୀୟ ସରକାର

53

କନକ ବ୍ୟୁରୋ : ପ୍ରଶାନ୍ତ ମହାସାଗରରେ ଭୂକମ୍ପ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ଫିଜି ଏବଂ ଟୋଙ୍ଗା ନିକଟବର୍ତ୍ତୀ ପ୍ରଶାନ୍ତ ମହାସାଗର ମଧ୍ୟରେ ୮. ୨ ତୀବ୍ରତା ପ୍ରଚଣ୍ଡ ଭୂମିକମ୍ପ ସଂଘଠିତ ହୋଇଛି। କିନ୍ତୁ ଏହି କମ୍ପନ ଭୂଗର୍ଭର ଅତି ଗଭୀରରେ ହୋଇଥିବାରୁ କୌଣସି କ୍ଷୟକ୍ଷତିର କାରଣ ହେବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍ ସର୍ଭେ କହିଛି। ଅତି ଗଭୀରରେ ସଂଘଠିତ ହୋଇଥିବାରୁ ସୁନାମି ହେବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସୁନାମି ଓ୍ଵାର୍ଣ୍ଣିଙ୍ଗ୍ ସେଣ୍ଟର୍ କହିଛି। ଭୂଗର୍ଭର ୫୬୦ କିଲୋମିଟର୍ ଅଭ୍ୟନ୍ତରରେ ଥିଲା ଏହି କମ୍ପନର କେନ୍ଦ୍ରସ୍ଥଳ। ଲୋକେ କମ୍ପନ ଅନୁଭବ କରି ପାରିବେ ସତ କିନ୍ତୁ, ଏହାଦ୍ୱାରା କୌଣସି ଧନଜୀବନ ହାନି ହେବାର ଆଶଙ୍କା ନାହିଁ । ରିକ୍ଟର୍ ସ୍କେଲରେ ଏହି କମ୍ପନ ୮.୦ ବୋଲି ପ୍ରଥମେ ଖବର ଆସିଥିଲା, କିନ୍ତୁ, ଏହା ୮. ୨ ବୋଲି ପରେ ଜଣାପଡ଼ିଲା। ଯଦି ଏହା ଭୂଗର୍ଭର ଏତେ ଅଭ୍ୟନ୍ତରରେ ସଂଘଠିତ ହୋଇ ନ ଥାନ୍ତା ତେବେ ଭୟବହ କ୍ଷୟକ୍ଷତି କରି ଥାଆନ୍ତା ।

 

ଫିଜିର ଲେଭୁକାର ପୂର୍ବଆଡ଼କୁ ୨୭୦ କିଲୋମିଟର ଏବଂ ଟୋଙ୍ଗାର ନିଆଫୁର ପଶ୍ଚିମ ଆଡ଼କୁ ୪୪୩ କିଲୋମିଟର୍ ମଧ୍ୟରେ ଏହି ଭୂକମ୍ପନର କେନ୍ଦ୍ରସ୍ଥଳର ଅବସ୍ଥିତି। ଘଟଣା ଜଣାପଡିବାପରେ ସେଠାକାର ସ୍ଥାନୀୟ ଲୋକମାନେ ଘରୁ ବାହାରି ଆସିଥିଲେ କିନ୍ତୁ ସେଠାକାର ସରକାର ଭୂକମ୍ପରେ କୈାଣସି ୭କ୍ଷୟକ୍ଷତି ହେବ ନାହିଁ ତେଣୁ ଲୋକମାନେ ବ୍ୟସ୍ତ ହେବାର କୈାଣସି କାରଣ ନାହିଁ ବୋଲି ସୂଚନା ଦେବାପରେ ଲୋକମାନେ ଶାନ୍ତ ପଡିଛନ୍ତି । ତେବେ ପ୍ରଥମ ଶକ୍ତିଶାଳୀ ଭୂକମ୍ପପରେ ପୁଣିଥରେ ଆଉ ଏକ ଭୂକମ୍ପ ହେବା ଭଳି ଅନୁଭୂତ ହୋଇଥିଲା କିନ୍ତୁ ବର୍ତ୍ତମାନ ସମୟରେ ତାହାର ତୀବ୍ରତା ଜଣାପଡିନଥିବା ବେଳେ ଏହା ଲୋକମାନଙ୍କ ପାଇଁ କୈାଣସି କ୍ଷତି କରିବା ନାହିଁ ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।