ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ ମାଡ ଘଟଣାରେ ଦୋଷୀଙ୍କୁ ସଜା । ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ କଲେ ଜଗତସିଂହପୁର ଏଏସଜେ ମହିଳା କୋର୍ଟ ।

109

କନକ ବ୍ୟୁରୋ : ୧୩ ବର୍ଷ ପରେ ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ଘଟଣାର ରାୟ ପ୍ରକାଶ ପାଇଛି । ଦୁଇ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ସହ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ । ଏକତରଫା ପ୍ରେମକୁ ନେଇ ପ୍ରମୋଦିନୀଙ୍କୁ ହୋଇଥିଲା ଏସିଡ ଆଟାକ । ତେବେ ଏହି ମାମଲାକୁ ୨୦୧୨ରେ ପୋଲିସ ବନ୍ଦ କରିଦେଇଥିଲା । ହେଲେ ପରେ ୨୦୧୭ ମସିହାରେ ତତକାଳିନ ଏସପି ଜୟ ନାରାୟଣ ପଙ୍କଜ ଏହି କେସକୁ ରି-ଓପନ କରିଥିଲେ । ପରେ ଅଭିଯୁକ୍ତ ଏବଂ ତାର ସହଯୋଗୀ ଗିରଫ କରାଯାଇଥିଲା ।

ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ଘଟଣାରେ ଆସିଛି ରାୟ । ୧୩ ବର୍ଷ ପରେ ୨ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ । ଜେଲ ଦଣ୍ଡାଦେଶ ସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି । ଜରିମାନା ଅନାଦେୟ ହେଲେ ଅତିରିକ୍ତ ୯ ମାସ ଜେଲରେ ରହିବେ ଦୋଷୀ । ୨୦୦୯ ଏପ୍ରିଲ ୧୮ ତାରିଖରେ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ କରିଥିଲେ ୨ ଦୁର୍ବୃତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟ । ଏକତରଫା ପ୍ରେମକୁ ନେଇ ପ୍ରମୋଦିନୀଙ୍କୁ ଆକ୍ରମଣ ହୋଇଥିଲା । ୨୦୧୭ରୁ ଗିରଫ ହୋଇ ଉଭୟ ଜେଲରେ ଥିଲେ । ତେବେ କୋର୍ଟଙ୍କ ରାୟରେ ସଂପୂର୍ଣ୍ଣ ସନ୍ତୁଷ୍ଟ ନଥିବା କହିଛନ୍ତି ପ୍ରମୋଦିନୀ ।

ଭଦ୍ରକ ଅଂଚଳର ପାରା ମିଲିଟାରୀରେ ଯବାନ ଭାବେ କାର୍ଯ୍ୟରତ ଥିବା ସନ୍ତୋଷ କୁମାର ବେଦାନ୍ତ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରୁଥିଲେ । ପ୍ରେମରେ ବିଫଳ ହେବାରୁ ତାଙ୍କୁ ଏସିଡ଼ ମାଡ଼ କରି ଫେରାର ହୋଇଯାଇଥିଲେ । ଘଟଣା ଘଟାଇବା ପରେ ପୁନଶ୍ଚ ନିଜ ଚାକିରୀକୁ ଫେରିଯାଇଥିଲେ । ୨୦୧୨ ମସିହାରେ ପୋଲିସ ଏହି କେସକୁ ବନ୍ଦ କରିଦେଇଥିଲା । ହେଲେ ପରେ ୨୦୧୭ ମସିହାରେ ତତକାଳୀନ ଏସପି ଜୟ ନାରାୟଣ ପଙ୍କଜ ଏହି କେସକୁ ରି-ଓପନ କରିଥିଲେ । ଅଭିଯୁକ୍ତ ଏବଂ ତାର ସହଯୋଗୀକୁ ଗିରଫ କରିଥିଲା ପୋଲିସ । ମୋଟ୍ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ଜଗତସିଂହପୁର ଏଏସଜେ ମହିଳା କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

୨୦୦୯ରେ ତିର୍ତୋଲ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ରେ ପଢୁଥିବାବେଳେ ପ୍ରମୋଦିନୀଙ୍କ ଉପରକୁ ଏସିଡ ମାଡ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଗଲା । ତାଙ୍କ ଶରୀରର ୮୦ ଭାଗ ଏସିଡରେ ପୋଡି ଯାଇଥିବାବେଳେ ପ୍ରାୟ ୯ ମାସ ଧରି ଆଇସିୟୁରେ ରଖି ଚିକିତ୍ସା କରାଗଲା । ହେଲେ ତାଙ୍କର ୨ଟି ଆଖି ନଷ୍ଟ ହୋଇ ଯାଇଥିଲା । ଦୀର୍ଘ ୫ ବର୍ଷ ବେଡରେ ପଡିବା ପରେ ୨୦୧୪ରେ ସେ ଚାଲିବାକୁ ସକ୍ଷମ ହେଲେ । ଜୀବନ ସଂଘର୍ଷରେ ହାରି ନଯାଇ ପ୍ରମୋଦିନୀ ଏବେ ଦିଲ୍ଲୀର ଏକ ଏନଜିଓରେ କାମ କରୁଥିବାବେଳେ ଷ୍ଟପ ଏସିଡ ଆଟାକ ନାମରେ ଏକ ସଙ୍ଗଠନ ଖୋଲି ଓଡିଶାରେ ଏସିଡ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାମ କରୁଛନ୍ତି ।