ଟୋକିଓରେ ଇତିହାସ ରଚିଲେ ଓଡ଼ିଆ ପୁଅ । ଦେଶ ପାଇଁ ପ୍ରମୋଦ ଭଗତ ଆଣିଲେ ସୁନା ।

174

କନକ ବ୍ୟୁରୋ: ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଏସଏଲ-ଥ୍ରୀ ବର୍ଗର ଏକକ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଭାରତୀୟ କ୍ରୀଡ଼ା ଜଗତରେ ନୂଆ ଇତିହାସ ରଚିଛନ୍ତି ପ୍ରମୋଦ । ଫାଇନାଲରେ ବିଶ୍ୱର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ବ୍ରିଟେନର ଡାନିଏଲ୍ ବେଥେଲଙଙ୍କୁ ୨୧-୧୪, ୨୧-୧୭ ସିଧା ସେଟରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ପୁଅ । ପାରା ବ୍ୟାଡମିଣ୍ଟନରେ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ପ୍ରମୋଦ, ପ୍ରଥମ ସେଟରେ ସହଜ ବିଜୟ ହାସଲ କରିଥିବା ବେଳେ ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେଟରେ ୮ ପଏଣ୍ଟ ପଛରେ ଥାଇ ବି ଖେଳର ମୋଡ ବଦଳାଇ ବିଜୟ ହାସଲ କରିଥିଲେ ।

ପ୍ରମୋଦଙ୍କ ଟୋକିଓ ଅଭିଯାନ ଏତେ ସଫଳ ରହିଥିଲା ଯେ ପୂରା ପ୍ରତିଯୋଗିତାରେ ଗୋଟିଏ ବି ସେଟରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିନଥିଲା । ତେବେ ଦେଶ ପାଇଁ ସୁନାର ଗୌରବ ଆଣିଥିବା ପ୍ରମୋଦଙ୍କୁ ଏବେ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି, ସେ ଜଣେ ଚାମ୍ପିଅନ୍, ସାରା ଦେଶବାସୀଙ୍କ ହୃଦୟ ଜିତିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ରାଜ୍ୟବାସୀଙ୍କ ପାଇଁ ଏହା ସ୍ୱର୍ଣ୍ଣିମ ମୁହୂର୍ତ୍ତ କହିଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରମୋଦଙ୍କ ବିଜୟ ଦେଶ ପାଇଁ ଗର୍ବ ଓ ଗୌରବ ।

ଏପଟେ ପ୍ରମୋଦ ଭଗତଙ୍କ ସୁନାର ସଫଳତା ପରେ ତାଙ୍କ ପରିବାର, ସଂପର୍କୀୟ ଓ ସାଥୀ ଖେଳାଳିମାନେ ଉତ୍ସବ ମନାଇଛନ୍ତି । ବରଗଡ଼ରେ ଥିବା ତାଙ୍କ ପୈତୃକ ଗାଁରେ ମଧ୍ୟ ଖୁସି ଖେଳି ଯାଇଛି । ଓଡ଼ିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ପଦକ ଆଣିଛନ୍ତି ପ୍ରମୋଦ । ତେବେ ପ୍ରମୋଦଙ୍କ ସଫଳତା ଉପରେ ନଜର ପକାନ୍ତୁ…

  • ପାରାଲିମ୍ପିକ୍ସ ପ୍ରଥମ ଥର ସ୍ଥାନ ପାଇଥିଲା ବାଡମିଣ୍ଟନ
  • ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିଲେ ପ୍ରମୋଦ
  • ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ପ୍ରଥମ ଓଡ଼ିଆ
  • ୫ ଥର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ପ୍ରମୋଦ
  • ୪୫ଟି ଅନ୍ତର୍ଜାତୀୟ ପଦକ ଜିତିବାର ଗୌରବ ରହିଛି ପ୍ରମୋଦଙ୍କ ନାଁରେ