ମହିଳା ଦିବସରେ ମହିଳାଙ୍କ ପାଇଁ ପ୍ରେରଣା ! ଦେଶର ପ୍ରଥମ ମହିଳା କମ୍ବାଟ ଅଫିସର ହେଲେ ବିହାରର ପ୍ରକୃତି

50

କନକ ବ୍ୟୁରୋ : ବିହାର ସମସ୍ତିପୁର ଜିଲ୍ଲାର ୨୫ ବର୍ଷିୟ ପ୍ରକୃତି ଇଣ୍ଡୋ-ତିବ୍ଦତାନ ବର୍ଡର ପୁଲିସ (ଆଇଟିବିପି)ରେ ପ୍ରଥମ ମହିଳା କମ୍ବାଟ୍‌ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ୨୦୧୬ କେନ୍ଦ୍ରୀୟ ସୀମା ସୁରକ୍ଷା ବଳ(ସିଏପିଏଫ)ରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଆଇଟିବିପିିରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ମହିଳାଙ୍କୁ କନଷ୍ଟେବଲ୍‌ ସ୍ତରରେ ଭର୍ତ୍ତି କରାଯାଉଥିଲା । ତେବେ ପ୍ରକୃତିଙ୍କୁ ଆସନ୍ତା ବର୍ଷ ସୀମାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।

ସବୁବେଳେ ଦେଶ ପାଇଁ କିଛି କରିବାର ଇଛା ରହିଥିଲା । ମୋ ପିତା ଜଣେ ଭାରତୀୟ ବାୟୁ ସେନା ଅଧିକାରୀ । ମୁଁ ପିଲାଟିବେଳୁ ତାଙ୍କୁ ଦେଖି ଅନୁପ୍ରେରିତ ହୋଇଛି । ଏଣୁ ମୁଁ ଆଇଟିବିପିକୁ ମୋର ପ୍ରଥମ ପସନ୍ଦ ଭାବେ ଚୟନ କଲି ବୋଲି କହିଛନ୍ତି ପ୍ରକୃିତି । ଆଶ୍ଚର୍ଯ୍ୟର କଥା ଏହାକି ମହିଳା ଅଫିସର ଭାବେ ନିଯୁକ୍ତ ହୋଇଥିବା ପ୍ରକୃତିଙ୍କର କୌଣସି ସାଙ୍ଗିଆ ନାହିଁ । କାରଣ ତାଙ୍କ ମାତାପିତାଙ୍କ ଅନୁଯାୟୀ ଉପନାମ ଦ୍ୱାରା ଭାରତୀୟ ସମାଜରେ ଜାତିପ୍ରଥା ସୃଷ୍ଟି ହୋଇଥାଏ । ପ୍ରକୃତି ଇଲେଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ ପାଠ ପଢ଼ିବା ସହ ପ୍ରଥମ ଥରରେ ହିଁ ସିଏପିଏଫ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
 

ପ୍ରକୃତି କହନ୍ତି, ‘ମୁଁ ୨୦୧୬ ମାର୍ଚ୍ଚ ମାସରେ ଏକ ଖବରକାଗଜରେ ପଢ଼ିଲି ଯେ ପ୍ରଥମ ଥର ପାଇଁ ସରକାର ମହିଳାମାନଙ୍କୁ ଆଇଟିବିପିରେ କମ୍ବାଟ ଅଫିସର ପାଇଁ ନିଯୁକ୍ତି ପ୍ରଦାନ କରୁଛନ୍ତି । ଏହାପରେ ମୁଁ ଆଉ କିଛି ନଭାବି ଏଥିପାଇଁ ଆବେଦନ କରିଥିଲି ଏବଂ ଏଥିରେ ମୋର ଚୟନ ମଧ୍ୟ ହୋଇଗଲା । ଆରମ୍ଭରୁ ହିଁ ପିତାମାତା ମତେ ସମସ୍ତ କ୍ଷେତ୍ରରେ ସାହାଯ୍ୟ କରିଆସିଛନ୍ତି। ମୁଁ ଦେଶର ଅନ୍ୟ ପିତାମାତାମାନଙ୍କୁ ସେମାନଙ୍କ ପିଲାଙ୍କୁ ଏ ଦିଗରେ ପଠାଇବା ଲାଗି ପ୍ରୋତ୍ସାହନ କରନ୍ତୁ ।

 

ପ୍ରକୃତି ବର୍ତ୍ତମାନ ଡ଼େରାଡ଼ୁନରେ ଟ୍ରେନିଂରେ ଅଛନ୍ତି । ଆସନ୍ତା ବର୍ଷ ଏହା ଶେଷ ହେବା ପରେ ସେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଆଇଟିବିପିରେ ଯୋଗଦାନ କରିବେ ।୧୯୬୨ ମସିହାରେ ଭାରତ-ଚାଇନା ଯୁଦ୍ଧ ପରେ ଆଇଟିବିପିର କଳେବର ବଢ଼ାଯାଇଥିଲା । ବର୍ତ୍ତମାନ ଏହାର ସମୁଦାୟ କର୍ମଚାରୀ ସଂଖ୍ୟା ରହିଛି ୮୩୦୦୦, ଯେଉଁଥିରେ ୧୫୦୦ କେବଳ ମହିଳା ରହିଛନ୍ତି । ଆଗରୁ ମହିଳାମାନଙ୍କୁ କ୍ଷେତ୍ରକୁ ଲଢ଼ିବା ଲାଗି ଛଡ଼ା ଯାଉ ନଥିଲା, ଏବେ କିନ୍ତୁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ସହ ଲଢ଼ିବା ଲାଗି ପଠାଯାଉଛି ।