ସସପେନ୍ସ ବଢ଼ାଉଛି ଡିସେମ୍ବର ୨୬ । ନବ ଦାସଙ୍କ ଫର୍ମୁଲାରେ ପ୍ରକାଶ ବେହେରା, ସମର୍ଥକ ଯାହା ଚାହିଁବେ ତାହା ହିଁ କରିବୁ ।
କନକ ବ୍ୟୁରୋ: ନବ ଦାସଙ୍କ ଫର୍ମୁଲାରେ ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ଏକଥା ଆମେ କହୁନୁ ଏଭଳି ଆଲୋଚନା ପ୍ରକାଶ ବେହେରାଙ୍କ ବୟାନ ପରେ ଜୋର ଧରିଛି । କାରଣ ଗତ କିଛିଦିନ ହେବ ସୋସିଆଲ ମିଡ଼ିଆରେ ସାଲେପୁରର ଏହି ଲୋକପ୍ରିୟ କଂଗ୍ରେସ ନେତା ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଖୋଦ୍ ପ୍ରକାଶ ବେହେରାଙ୍କ ଗଣମାଧ୍ୟମରେ ରଖିଥିବା ବୟାନ ଆଗକୁ ରାଜନୀତିର ରଙ୍ଗ ବଦଳିବ ବୋଲି ଅନୁମାନ କରିଛନ୍ତି ରାଜନୀତି ବିଶେଷଜ୍ଞ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡ଼ିର ପ୍ରତିଷ୍ଠା ଦିବସରେ ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ଏନେଇ ପ୍ରକାଶ କହିଛନ୍ତି ଯେ, ଚର୍ଚ୍ଚା ଆଲୋଚନା ହେଉଛି ସେଥିରେ ମୋର କୌଣସି ମତ ରଖିବାରେ ନାହିଁ । ସାଲେପୁରବାସୀ ଯାହା ନିଷ୍ପତି ନେବେ ତାହା ମୁଁ କରିବି ବୋଲି କହିଛନ୍ତି । ଏଭଳି ବୟାନ ପୂର୍ବରୁ ମଧ୍ୟ ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସଙ୍କ ମୁହଁରୁ ମଧ୍ୟ ଶୁଣିବାକୁ ମିଳିଥିଲା । ଯାହାକୁ ସଂକେତ ଦେଉଛି ନବ ଦାସଙ୍କ ଫର୍ମୁଲାକୁ ପ୍ରକାଶ ଆପଣାଉଛନ୍ତି ।
ସୋସିଆଲ ମିଡ଼ିଆରେ ହେଉଥିବା ଚର୍ଚ୍ଚା ପୂର୍ବରୁ ମଧ୍ୟ ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ବିଜେଡ଼ି ପ୍ରୀତି ଦେଖିବାକୁ ମିଳିଛି । ଗତ କିଛି ଦିନତଳେ ପ୍ରକାଶ ବେହେରା ଶାସକ ବିଜେଡ଼ିକୁ ପ୍ରଶଂସା କରି କହିିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସ୍ଥିତି ଦୃଢ଼ ରହିଛି । ଯାହାକି ଆଗାମୀ ୨୦୧୯ରେ ପୁଣି କ୍ଷମତାକୁ ଆସିବେ ବୋଲି କହିଥିଲେ ପ୍ରକାଶ । ତେବେ ନବ ଦାସଙ୍କ ଭଳି ଖୋଲାଖୋଲି ବିଜେଡ଼ିକୁ ପ୍ରଶଂସା କରିବା ଏହି ଦୁଇ ନେତାଙ୍କ ଆଗାମୀ ରାଜନୀତି ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠାଇଛି । କଂଗ୍ରେସ ଏହି ଦୁଇ ହେଭିୱେଟ ନେତା ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ ଦଳ ବଦଳ କରିବେ କି ? ନା ଜାତୀୟ ରାଜନୀତିରେ ଧିରେ ଧିରେ ଉପରକୁ ଉଠୁଥିବା କଂଗ୍ରେସକୁ ପୁଣି ରାଜ୍ୟରେ ଝଟକା ଲାଗିବ ! ରାଜ୍ୟ ରାଜନୀତିରେ ଏଭଳି ହାଇଭୋଲଟେଜ ରାଜନୈତିକ ଡ୍ରାମା ଆଗକୁ ଦେଖିବାକୁ ମିଳିବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ।