ମୋଦୀଙ୍କ ମନର କଥାରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ସମ୍ବଲପୁରର ଇସକ ମୁଣ୍ଡାଙ୍କ କାହାଣୀ କହିଲେ ପ୍ରଧାନମନ୍ତ୍ରୀ । 

244

କନକ ବ୍ୟୁରୋ: ତାଲାବନ୍ଦ ଯେତେ ରୋଜଗାର ବାଟ ବନ୍ଦ କରିଦେଲା । ଭୂତାଣୁ ଯେବେ ମଣିଷକୁ ଭୋକ ଯନ୍ତ୍ରଣା ଭିତରକୁ ଠେଲି ଦେଇଥିଲା । ଠିକ୍ ସେତେବେଳେ କଁସାଏ ପଖାଳ ଓ ଗୋଟିଏ ପିଆଜ ଧରି, ୟୁଟ୍ୟୁବ୍ ଜରିଆ ଆପଣଙ୍କ ସାମ୍ନାକୁ ଆସିଥିଲେ ଜଣେ ଦିନ ମଜୁରିଆ

ସରଳତା, ସଂଘର୍ଷ ଓ ଗରିବ ମଣିଷର ଜୀବନ ଶୈଳୀ । ଏହି ତିନିଟି ବିନ୍ଦୁକୁ ନେଇ ଈଶାକ ମୁଣ୍ଡାଙ୍କ ୟୁଟ୍ୟୁବ୍ ଚ୍ୟାନେଲ- ଇଶାଇ ମୁଣ୍ଡା ଇଟିଂ । ଈଶାକ କେମିତି ଖାଏ ? ଇଶାକ କଣ ଖାଏ? ତାର ଭିଡିଓ ଏବେ ପଲ୍ଲୀରୁ ଦିଲ୍ଲୀ ପହଂଚିଯାଉଛି, ଯାହା ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ ।

ମାତ୍ର ସପ୍ତମ ଶ୍ରେଣୀ ଯାଏଁ ପଢିଥିବା ଈଶାକ ଦେଶୀ ଶୈଳୀରେ ହିନ୍ଦୀ କହି ୟୁଟ୍ୟୁବ୍ରେ ଶତାଧିକ ଭିଡିଓ ପୋଷ୍ଟ କରିଛନ୍ତି । ତାଙ୍କ ସବସ୍କ୍ରାଇବ ସଂଖ୍ୟା ୭ଲକ୍ଷ ଟପି ଗଲାଣି । ନୂଆ ଦୁନିଆର ଏହି ନୂଆ ପ୍ରୟାସ ଅଖ୍ୟାତ ପଲ୍ଲୀର ଜଣେ ଅଜଣା ଯୁବକୁ ୟୁଟ୍ୟୁବ୍ ସେନସେସନ୍ କରିଦେଇଛି । ଆଉ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ତାଙ୍କୁ ପ୍ରେରଣା ଦେବ ବୋଲି ଈଶାକ କହିଛନ୍ତି ।

ଦିନେ ଦୁଇ ଓଳି ଖାଇବାକୁ ସଂଘର୍ଷ କରୁଥିବା ଈଶାକ, ଏବେ ଲକ୍ଷପତି । ଦିନେ କୁଡ଼ିଆରେ ମୁଣ୍ଡ ଗୁଂଜୁଥିବା ପରିବାରଙ୍କ ମୁଣ୍ଡ ଉପରେ ଏବେ ଛାତଘର । ଈଶାକଙ୍କ ଜୀବନ ବଦଳାଇ ଦେଇଛି ୟୁଟ୍ୟୁବ୍ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପରେ ସମ୍ବଲପୁର ବାବୁପାଲି ଗାଁର ଈଶାକଙ୍କୁ ନେଇ ଟୁଇଟ୍ କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲେଖିଛନ୍ତି- ଯୁବ ଶକ୍ତିଙ୍କ ପାଇଁ କିଛି ନୂଆ କରିବାର ପ୍ରତୀକ ହେଉଛନ୍ତି ଈଶାକ ମୁଣ୍ଡା ।