ଆମେରିକା ମିଡିଆରେ ମୋଦୀଙ୍କୁ ପ୍ରଶଂସା: ପୁଟିନଙ୍କ ସହ ବୈଠକ ବେଳେ ଏବେ ଯୁ୍ଦ୍ଧ କରିବାର ସମୟ ନୁହେଁ କହିଥିଲେ ପ୍ରଧାନମନ୍ତ୍ରୀ

275

କନକ ବ୍ୟୁରୋ : ଏବେ ଯୁଦ୍ଧ କରିବାର ସମୟ ନୁହେଁ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ଉଜବେକିସ୍ତାନର ଏସସିଓ ବୈଠକରେ ଭାରତ ଏବଂ ଋଷ ଦ୍ୱିପାକ୍ଷିକ ବୈଠକ ବସିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜବାବରେ ପୁଟିନ କହିଛନ୍ତି, ୟୁକ୍ରେନ ପ୍ରସଙ୍ଗରେ ଆପଣଙ୍କ ଆଭିମୁଖ୍ୟ ବାବଦରେ ଅବଗତ ଅଛି । ଯୁଦ୍ଧ ରୋକିବାକୁ ଆମେ ପ୍ରୟାସ କରୁଛୁ । ଆଲୋଚନା ପ୍ରକ୍ରିୟାରୁ ୟୁକ୍ରେନ ଓହରି ଯାଇଛି । ୟୁକ୍ରେନ ଯୁଦ୍ଧ ରଣନୀତି ଆପଣାଇଛି । ଯାହା ବି ହେଉଛି ଦୁଇ ଦେଶ ମଧ୍ୟରେ ଏବାବଦରେ ଅବଗତ କରାଇବୁ ।

ଏ ହେଉଛି ପୁଟିନ-ମୋଦୀଙ୍କ ବୈଠକକୁ ନେଇ ଅନ୍ତର୍ଜାତୀୟ ମିଡିଆରେ ପ୍ରକାଶ ପାଇଥିବା ଖବର । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ମୋଦୀଙ୍କ ବୟାନ ପରେ ଖୁସି ପ୍ରକାଶ କରିଛି ଆମେରିକା । ଯୁଦ୍ଧ ପାଇଁ ଆମେରିକା ଋଷର ଅଶୋଧିତ ତେଲ ଉପରେ ପ୍ରତିବନ୍ଧକ ଲଗାଇଛି । କିନ୍ତୁ ଭାରତ ନିଜର ଆଭିମୁଖ୍ୟ କିଛି ନିର୍ଦ୍ଦିଷ୍ଟ ଭାବେ ରଖିନାହିଁ । ଆଉ ଋଷ ଦେଉଥିବା ଶସ୍ତା ଅଶୋଧିତ ତେଲକୁ ଆମଦାନୀ କରୁଛି । ଯାହାକୁ ନେଇ ଆମେରିକା ବିଭିନ୍ନ ମଂଚରେ ଅସନ୍ତୋଷ ଜାହିର କରିସାରିଛି । ଆଉ ଅନ୍ତର୍ଜାତୀୟ ରାଜନୀତିରେ ଭାରତ-ଋଷ ସଂପର୍କ ବଢୁଥିବାରୁ ଏସସିଓ ମଂଚରେ ଭାରତ-ଋଷ ବୈଠକ ଉପରେ ଥିଲା ଆମେରିକାର ନଜର । ହେଲେ ପୁଟିନଙ୍କୁ ମୋଦୀ ଯେଉଁ ବାର୍ତା ଦେଇଛନ୍ତି ତାହା ଆମେରିକାକୁ ଖୁସି କରାଇ ଦେଇଛି ।

ଆମେରିକା ମିଡିଆ: ୟୁକ୍ରେନ ସହ ଯୁଦ୍ଧ ପାଇଁ ପୁଟିନଙ୍କୁ ଆଶ୍ଚର୍ଯ୍ୟ ଜନକ ଭାବେ ମୋଦୀ ସର୍ବସାଧାରଣରେ ସମାଲୋଚନା କରିଛନ୍ତି । ମୋଦୀ କହିଛନ୍ତି, ଏବେର ସମୟ ଯୁଦ୍ଧ ନୁହେଁ । ଫୋନରେ ମଧ୍ୟ ଏକଥା କହିଥିଲି । ମୋଦୀଙ୍କ ବୟାନ ପରେ ଚିନ୍ତାରେ ଋଷ ।

ବିଶ୍ୱ ମଂଚରେ ଆମେରିକା-ଋଷ ଦୁଇ ଶକ୍ତିଶାଳୀ ଦେଶ । ଉଭୟ ଦେଶ ସହିତ ରହିଛି ଭାରତର ସଂପର୍କ । ବାଣିଜ୍ୟ କ୍ଷେତ୍ର ଭାବେ ଭାରତ ବିଶ୍ୱର ଗୋଟିଏ ପ୍ରମୁଖ ସ୍ଥାନ । ଏପରି ସ୍ଥିତିରେ ଭାରତର ଆଭିମୁଖ୍ୟକୁ ନେଇ ଉଭୟ ଦେଶ ବେଶ ଯତ୍ନବାନ ରହିଥାନ୍ତି । ତେଣୁ ଋଷ-ୟୁକ୍ରେନ ଯୁଦ୍ଧ ନେଇ ନିରବ ରହୁଥିବା ଭାରତ ପ୍ରଥମ ଥର ପାଇଁ ଯୁଦ୍ଧକୁ ନେଇ କଡା ଆଭିମୁଖ୍ୟ ରଖିବା ପରେ ଖୁସି ପ୍ରକଟ କରିଛି ଆମେରିକା