ଓଡିଶାରେ ଆନ୍ଧ୍ର ନିର୍ବାଚନ: ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । କହିଲେ, ନୈତିକ ଦାୟିତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ ।

84

କନକ ବ୍ୟୁରୋ: ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ ଟୁଇଟ କରି ଲେଖିଛନ୍ତି, ଆମ ସୀମାକୁ ସୁରକ୍ଷିତ ରଖିବାରେ ସରକାର ବିଫଳ ହୋଇଛନ୍ତି । ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ଆଘାତ କରିବାର ନୈତିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଅନ୍ତୁ । ସରକାର ଓ ପ୍ରଶାସନ କାହିଁକି ଆମ ଲୋକଙ୍କୁ ବୁଝାଇବାରେ ବିଫଳ ହେଲେ ବୋଲି ପ୍ରଶ୍ନ କରିବା ସହ ଘଟଣାସ୍ଥଳକୁ କାହିଁକ ଜଣେ ହେଲେ ମନ୍ତ୍ରୀଙ୍କୁ ପଠାଗଲା ନାହିଁ ବୋଲି ପ୍ରଦୀପ୍ତ ପ୍ରଶ୍ନ କରିଛନ୍ତି । ଏଥିସହିତ ଜିଲ୍ଲାପାଳଙ୍କ ନିଷ୍କ୍ରିୟତା ଯୋଗୁଁ ଏପରି ଘଟଣା ଘଟିଲା , ହେଲେ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଫେବୃୟାରୀ ୧୩ ଓଡିଶାର ଇତିହାସରେ କଳା ଦିନ ହୋଇ ରହିଗଲା ବୋଲି ଟୁଇଟ କରି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ସେହିପରି ଏହି ପ୍ରସଙ୍ଗରେ ସିରିଜ୍ ଟୁଇଟ୍ କରି ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲେଖିଛନ୍ତି, ଆନ୍ଧ୍ର ଓଡିଶାର ଭୌଗଳିକ ସୀମାରେ ପଶି କୋରାପୁଟ, ଗଂଜାମ, ଗଜପତି ଜିଲ୍ଲାରେ ଓଡିଶାର ଗାଁକୁ ପଂଚାୟତ ନିର୍ବାଚନରେ ସାମିଲ କରିବା ପାଇଁ ଉଦ୍ୟମ କରିବା ଖବର ଚିନ୍ତାଜନକ । ଆନ୍ଧ୍ର ହେଉ ବା ଅନ୍ୟ ପଡୋଶୀ ରାଜ୍ୟମାନଙ୍କ ସହ ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି । ସମୟ ଥାଉ ଥାଉ ପଦକ୍ଷେପ ନନେଲେ ଆଗକୁ ଆହୁରି ଖରାପ ସମୟକୁ ସାମ୍ନା କରିବାକୁ ପଡିପାରେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରିଛନ୍ତି । ସେହିପରି ରାଜ୍ୟ ସରକାର ସୀମା ବିବାଦକୁ ନେଇ ଆଇନଗତ ପଦକ୍ଷେପ ନେଇଛନ୍ତି । ଏହାକୁ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବେ ବୋଲି ଆଶାପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡିକର ବିକାଶ ଓ ବିଭିନ୍ନ ସରକାରୀ ସେବାକୁ ଗୁରୁତର ସହ ମଜବୁତ୍ କରିବା ମଧ୍ୟ ଜରୁରୀ । ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କର ମାତୃଭୂମି ପାଇଁ ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବା ପାଇଁ ମିଳିତ ଉଦ୍ୟମ ନିଶ୍ଚିତ ସହାୟକ ହେବ ବୋଲି ସେ ଟୁଇଟ କରିଛନ୍ତି ।

ସେପଟେ ଆନ୍ଧ୍ରର ନିର୍ବାଚନ ନେଇ ବିଜେପିର ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିଜେଡି ନେତା ଶଶିଭୂଷଣ ବେହେରା । ସେ କହିଛନ୍ତି, ସୁପ୍ରିମକୋର୍ଟ ଦୁଇ ଦୁଇ ଥର ଆନ୍ଧ୍ର-ଓଡିଶା ସୀମା ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସମୟରେ ସବୁ ଓଡିଆ ଏକଜୁଟ ଏହାର ସମାଧାନ ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।