ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ସେବା ଆରମ୍ଭ ପାଇଁ ଦାବି : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର ପ୍ରଧାନ

290

କନକ ବ୍ୟୁରୋ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ସେବା ଆରମ୍ଭ କରିବା ପାଇଁ  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ । ବହୁ ଦିନ ଧରି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣ ପାଇଁ ଦାବି ହୋଇଆସୁଛି । ହେଲେ ଏଯାଏଁ ବିମାନ ସେବା ଆରମ୍ଭ ହୋଇପାରିନାହିଁ । ଏଦିଗରେ ବିମାନ ଚଳାଚଳ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି, ଭୁବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଯାତ୍ରୀଙ୍କ ସୁବିଧା ଓ ଓଡ଼ିଶାର ବିକାଶ ପାଇଁ ଆକାଶପଥରେ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ୟୁଏଇର ବିଭିନ୍ନ ଅଞ୍ଚଳରେ ୧୫ ହଜାରରୁ ଉର୍ଦ୍ଧ୍ୱ ଓଡ଼ିଆ ଲୋକ ବସବାସ କରୁଛନ୍ତି । ସିଧାସଳଖ ବିମାନ ଚଳାଚଳ ନଥିବାରୁ ଦେଶ ବାହାରକୁ ଯାଉଥିବା ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଦୁବାଇ ଓ ମଧ୍ୟ ପୂର୍ବ ଦେଶକୁ ଯାଉଥିବା ଯାତ୍ରୀଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବା ସହ ସମୟ ମଧ୍ୟ ଅପଚୟ ହେଉଛି । ବର୍ତ୍ତମାନ ସମୟରେ କୌଣସି ଯାତ୍ରୀ ମଧ୍ୟ ପୂର୍ବ ଦେଶକୁ ଯିବାକୁ ଚାହିଁଲେ ତାଙ୍କୁ ଭୁବନେଶ୍ୱର ଭାୟା ଦିଲ୍ଲୀ ଦେଇ ଗନ୍ତବ୍ୟ ସ୍ଥାନକୁ ଯିବାକୁ ପଡ଼ୁଛି ।

ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଲେଖିଛନ୍ତି, ଆକାଶପଥରେ ଉଭୟ ଦେଶ ମଧ୍ୟରେ ସିଧାସଳଖ ଯୋଗାଯୋଗ ହୋଇପାରିଲେ, ଓଡ଼ିଶାର ସ୍ୱାସ୍ଥ୍ୟ, ପର୍ଯ୍ୟଟନ ତଥା ଶିକ୍ଷା କ୍ଷେତ୍ରରେ ସଂଯୋଗ ସ୍ଥାପନ ହୋଇପାରିବ ।  ମୋଦିଙ୍କ ପୂର୍ବଦୋୟ ଯୋଜନା ଅନୁସାରେ ଓଡ଼ିଶା ବିକାଶର ପେଣ୍ଠସ୍ଥଳ ଭାବେ ଆଗକୁ ବଢ଼ିଚାଲିଛି । କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନା ଅନୁସାରେ ଆଂଚଳିକ ସ୍ତରରେ ବିମାନ ଯୋଗାଯୋଗ ହୋଇପାରିଛି । ତେବେ ରାଜଧାନୀ ଭୁବନେଶ୍ୱରରୁ ସିଧାସଳଖ ଅନ୍ତରାଷ୍ଟ୍ରିୟ ବିମାନ ଚଳାଚଳ କଲେ ବିକାଶର ସମ୍ଭାବନା ଅଧିକ ଶକ୍ତିଶାଳୀ ହୋଇପାରିବ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।