ବିଜେପିରେ ଯୋଗ ଦେଇପାରନ୍ତି ପ୍ରଦୀପ ପାଣିଗ୍ରାହୀ: ରାଜ୍ୟପାଳଙ୍କ ଶପଥ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ସହ ନଜର ଆସିବା ପରେ ବଢିଲା ଚର୍ଚ୍ଚା
କନକ ବ୍ୟୁରୋ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହୋଇପାରନ୍ତି । ବିଜେଡିରୁ ବହିଷ୍କାର ପରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଏପରି ସମୟରେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ବସିଥିଲେ ଗୋପାଳପୁର ବିଧାୟକ । ସେହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଗଂଜାମ ରାଜନୀତି ସରଗରମ ହୋଇଛି । ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇ ୨୦୨୪ ନିର୍ବାଚନରେ ବିଜେପି ଟିକେଟରେ ଲଢେଇ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ନିଜ ନିର୍ବାଚନ ମଣ୍ଡଳିରେ ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ପ୍ରଭାବ ଓ ଜନସମର୍ଥନ ଥିବାରୁ ବିଜେଡିର ଅଡୁଆ ବଢିପାରେ । ରାଜନୈତିକ ବିଶେଷଜ୍ଞଙ୍କ ମତ ଗୋପଳପୁର ବିଧାୟକ ବିଜେପିକୁ ଗଲେ ଗଂଜାମ ରାଜନୀତିରେ ବଡ ଧରଣର ପରିବର୍ତନ ଆସିପାରେ । ତାଙ୍କର ସାଂଗଠନିକ ଦକ୍ଷତା ଓ ଅଭିଜ୍ଞତା ସହ ଲୋକଙ୍କ ମଧ୍ୟରେ ତାଙ୍କ ପ୍ରଭାବ ବିଜେଡିର ଆଧିପତ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚାକୁ ନେଇ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ବିଜେପିରେ ନେତାଙ୍କ ଅଭାବ ରହିଛି, ତେଣୁ ବିଜେଡିର ବହିଷ୍କୃତ ନେତାଙ୍କୁ ସେମାନେ ପାଛୋଟି ନେବାକୁ ଅନେଇ ରହିଛନ୍ତି । ଆଉ ବିକ୍ରମ ପଣ୍ଡାଙ୍କୁ ଜବାବ ଦେଇଛନ୍ତି ଗଂଜାମ ଜିଲ୍ଲା ସଭାପତି ସୁବାସ ସାହୁ । କହିଛନ୍ତି ଗୋପାଳପୁର ବିଧାୟକଙ୍କୁ ବିଜେଡି ସମାଲୋଚନା କରିବା ତାଙ୍କ ଆଭ୍ୟନ୍ତରୀଣ ଭୟକୁ ସୁଚାଉଛି ।