କନକ ବ୍ୟୁରୋ: ପ୍ରଦୀପ ମାଝୀଙ୍କ ଭାଇଙ୍କ ଫେସବୁକ ପୋଷ୍ଟକୁ ନେଇ ନବରଙ୍ଗପୁର ବିଜେଡି ଶିବିରରେ କମ୍ପନ । ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ଭାଇଙ୍କ ଫେସବୁକ ପୋଷ୍ଟକୁ ନେଇ ବିଜେଡିରେ କମ୍ପନ । ନବରଙ୍ଗପୁର ଝରିଗାଁ ବ୍ଲକରେ ପ୍ରଦୀପ ମାଝୀଙ୍କ ସମର୍ଥକଙ୍କୁ ବିଜେଡିରେ ଅଣଦେଖା କରାଯାଉଥିବା ତାଙ୍କ ଭାଇ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ମାଝୀ ସ୍ୱୀକାର କରିଛନ୍ତି । ନିଜ ମନର କଥାକୁ ସେ ଫେସବୁକ୍ ମାଧ୍ୟମରେ ପ୍ରକାଶ କରିଥିଲେ । ଯଦିଓ କିଛି ସମୟ ପରେ ପୋଷ୍ଟକୁ ହଟାଇ ଦେଇଥିଲେ, ସେତେବେଳକୁ ସ୍କିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିଲା । ମୋବାଇଲରୁ ମୋବାଇଲ୍ ବୁଲୁଥିବା ସ୍କ୍ରିନସଟରେ ବିଜେଡି ତାଙ୍କୁ ଗ୍ରହଣ କରୁନଥିବା ପ୍ରସନ୍ନ ଉଲ୍ଲେଖ କରିଛନ୍ତି । କେଉଁ ଦଳକୁ ଗଲେ ସମ୍ମାନର ସହ ସାଧାରଣ ଲୋକ ଏବଂ ସଂଗଠନ ପାଇଁ କାମ କରିବେ ବୋଲି ନିଜ ସମର୍ଥକଙ୍କ ମତାମତ ଲୋଡ଼ିଛନ୍ତି । ପୋଷ୍ଟ କରିବାର କିଛି ମିନିଟ୍ ମଧ୍ୟରେ ପ୍ରାୟ ୧୯ଜଣ ମତ ଦେଇଥିଲେ । ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ । ଏହାରି ମଧ୍ୟରେ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ବ୍ଲକରେ ପ୍ରଦୀପଙ୍କ ସମର୍ଥକଙ୍କୁ ପୁରୁଣା ବିଜେଡି କର୍ମୀ ସହଜରେ ଗ୍ରହଣ କରୁନଥିବା ଚର୍ଚ୍ଚା ହେଉଥିଲା । ଝରିଗାଁ ବ୍ଲକରେ ବିଜେଡି କର୍ମୀ ଆଦୌ ସହଜ ଅନୁଭବ କରୁନାହାନ୍ତି ବୋଲି ଦଳ ଭିତରେ ହିଁ ଆଲୋଚନା ହେଉଥିଲା । ଗତକାଲିର ପୋଷ୍ଟ ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି ।