କନକ ବ୍ୟୁରୋ: ବିପର୍ଯ୍ୟୟ ପରେ ଦଳ ଖୋଜିଲା ପୁରୁଣା ନେତା । ଆଜି ବିଜେଡି ସୁପ୍ରିମୋଙ୍କ ବାସଭବନରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏବଂ ଅନଙ୍ଗ ଉଦୟ ସିଂଦେଓଙ୍କୁ ଦେଖିବାକୁ ମିଳିଛି । ପରାଜୟର ପୋଷ୍ଟ ମୋର୍ଟମ କରିବାକୁ ନବୀନ ଏବେ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ଦଳ ଏବେ ପୁରୁଖା ନେତାଙ୍କୁ ସକ୍ରିୟ କରାଇ ଆଗାମୀ ଦିନରେ ମଜବୁତ କରାଇବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏକଦା ନବୀନଙ୍କୁ ଭେଟିବା ନେତାଙ୍କ ପାଇଁ ସହଜ ନଥିଲା ବୋଲି କୁହାଯାଉଥିଲା । ଏବେ କିନ୍ତୁ ନିଜେ ସକ୍ରିୟ ହୋଇ ଦଳକୁ ଆଗକୁ ନେବାକୁ ଅଣ୍ଟା ଭିଡିଥିବା ଜଣାପଡିଛି ।

Advertisment
  • ନବୀନ ନିବାସରେ ବିଜେଡିର ରଣନୀତି
  • ଖୋଜା ପଡ଼ିଲେ ପୁରୁଣା ନେତା
  • ନବୀନଙ୍କୁ ଭେଟିଲେ ରଘୁ ମହାନ୍ତି

ପରାଜୟକୁ ନେଇ ପ୍ରତ୍ୟେକ ଦିନ ନବୀନ ନିବାସରେ ଚାଲିଛି ପୋଷ୍ଟମର୍ଟମ । କାରଣ ଖୋଜୁଛନ୍ତି ବିଜେଡି ସୁପ୍ରିମୋ । ଗୁରୁବାର ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ଉଷା ଦେବୀ, ନବୀନ ନିବାସ ପହଞ୍ଚିଥିଲେ । ଆଉ ଫେରିବା ପରେ ପ୍ରତିକ୍ରିୟା ରଖି କହିଥିଲେ, ଏହି ପରାଜୟ ତାଙ୍କୁ ଚକିତ କରିଛି । ଆଗାମୀ ରଣନୀତି ସଂକ୍ରାନ୍ତରେ ଆଲୋଚନା ହୋଇଛି । କିନ୍ତୁ ସବୁଠୁ ବଡ଼ କଥା ହେଉଛି, ୨୦୧୯ରେ ବିଜେଡିରୁ ଇସ୍ତଫା ଦେଇଥିବା ଟାଣୁଆ ନେତା ରଘୁ ଓ ତାଙ୍କ ପୁଅଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି । କାହିଁକି ଆସିଥିଲେ, ସେ ନେଇ କିନ୍ତୁ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇସାରିଛନ୍ତି । କୁହାଯାଉଛି, ବିଦ୍ଧିବଧ ଭାବେ ବିଜେଡିରେ ସାମିଲ ହେବେ ରଘୁ ମହାନ୍ତି ।

ବୁଧବାର ମଧ୍ୟ ନବୀନ ନିବାସକୁ ଆସିଥିଲେ କିଛି ବରିଷ୍ଠ ନେତା । ନବୀନଙ୍କ ଘନିଷ୍ଠ ସହଯୋଗୀ ତଥା ଦଳର ବରିଷ୍ଠ ଉପ ସଭାପତି ଅନଙ୍ଗ ଉଦୟ ସିଂଦେଓ ନବୀନ ନିବାସକୁ ଆସିଥିଲେ । ସେହିପରି ଦେବୀ ମିଶ୍ର, ଅରୁଣ ସାହୁ, ଏନ୍ ଭାସ୍କର ରାଓଙ୍କୁ ଦେଖିବାକୁ ମିଳିଥିଲା । କୁହାଯାଉଛି, ଦଳ ଆଗାମୀ ଦିନ ପାଇଁ ବଡ଼ ରଣନୀତି ପ୍ରସ୍ତୁତ କରୁଛି । ଆଉ ତା’ ପୂର୍ବରୁ ଅଭିଜ୍ଞ ଓ ବରିଷ୍ଠ ନେତାଙ୍କୁ ଡାକି ୱାନ୍ ଟୁ ୱାନ ଆଲୋଚନା କରୁଛନ୍ତି ଦଳର ସୁପ୍ରିମୋ ।

୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡିର ବରିଷ୍ଠ ନେତା ଶଶୀଭୂଷଣ ବେହେରା କହିଥିଲେ,ସିନିୟର ଲିଡରଙ୍କୁ ନିର୍ବାଚନ ସମୟରେ ପଚରାଗଲାନି । ତେଣୁ ବୋଧହୁଏ ଆଗକୁ ବରିଷ୍ଠ ନେତାମାନଙ୍କୁ କିଛି ଦାୟିତ୍ୱ ଦେଇପାରନ୍ତି ବିଜେଡି ସୁପ୍ରିମୋ ।