ଝିଙ୍କ ଖାଇ ମଲା ମହାବଳ ! ‘ମହାବୀର’ ମୃତ୍ୟୁର ସତ କହିଲା ବନ ବିଭାଗ ।

326

କନକ ବ୍ୟୁରୋ : ସାତକୋଶିଆରେ ମହାବଳ ‘ମହାବୀର’ର ମୃତ୍ୟୁ ଘଟଣାକୁ ନେଇ ଚାରିଆଡେ ତୀବ୍ର ଆଲୋଚନା ମଧ୍ୟରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ କରିଛି ବନ ବିଭାଗ । ଆଜି ମହାବଳର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ୪ ଜଣ ଡାକ୍ଟର ମହାବୀରର ପୋଷ୍ଟମର୍ଟମ କରିଥିବା ଜଣାପଡିଛି । ଏନେଇ ତଥ୍ୟ ଦେଇଛନ୍ତି ଆରସିସିଏଫ ସୁଦର୍ଶନ ପଣ୍ଡା । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଝିଙ୍କ ଗିଳିଦେଇଥିଲା ମହାବଳ ‘ମହାବୀର’ । ତାର ପାକସ୍ଥଳୀରୁ ଝିଙ୍କ କାଠି ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ।

ପାକସ୍ଥଳୀରେ ଝିଙ୍କ କାଠି ରହିଯାଇଥିବାରୁ ମହାବଳର ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯିବା ସହ ବାଘକୁ ସଂକ୍ରମଣ ହୋଇଥିଲା । ସଂକ୍ରମଣ ବଢିବା ସହ ମହାବଳର କେତେକ ଅର୍ଗାନ ଅକାମୀ ହୋଇଯାଇଥିଲା । ଆଉ ଏହି କାରଣରୁ ତାର ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରିଛି ବନବିଭାଗ ।  ମହାବୀରକୁ ଶିକାର କରାଯାଇଥିବା ଚାରିଆଡେ ଚର୍ଚ୍ଚା ହୋଇଥିବା ବେଳେ ସାତକୋଶିଆରେ ବାଘ ସୁରକ୍ଷିତ ନୁହେଁ ବୋଲି କୁହାଯାଉଥିଲା । କିନ୍ତୁ ମହାବୀରର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବାଘ ପ୍ରକଳ୍ପକୁ  ଆଗେଇନେବା ପାଇଁ ପ୍ରୟାସ ଜାରି ରହିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।