କନକ ବ୍ୟୁରୋ: ବୁଧବାର ପ୍ରକାଶିତ ଏକ ଡକୁମେଣ୍ଟାରିରେ ପୋପ୍ ଫ୍ରାନ୍ସିସ୍ କହିଛନ୍ତି ଯେ ସେକ୍ସ ଅତି ସୁନ୍ଦର ଜିନିଷଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହା ଈଶ୍ୱର ମଣିଷକୁ ଦେଇଛନ୍ତି। ଗତବର୍ଷ ୧୦ ଜଣ ଯୁବକ ପୋପ୍‌ଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ କରିଥିଲେ, ଯାହାର ଉତ୍ତରକୁ ନେଇ ‘ଦ ପୋପ୍ ଆନ୍‌ସର୍ସ’ ନାମକ ଉକ୍ତ ଡକୁମେଣ୍ଟାରି ପ୍ରସ୍ତୁତ ହୋଇଛି। ୨୦ରୁ ୨୫ ବର୍ଷ ବୟସ୍କ ଉକ୍ତ ଯୁବକମାନେ ୮୬ ବର୍ଷୀୟ ପୋପ୍‌ଙ୍କୁ ଏଲ୍‌ଜିବିଟି ଅଧିକାର, ଗର୍ଭପାତ, ପର୍ଣ୍ଣ ଇଣ୍ଡଷ୍ଟ୍ରି, ସେକ୍ସ, ଯୌନ ନିର୍ୟାତନା ଆଦି ବିଷୟରେ କ୍ୟାଥଲିକ ଚର୍ଚ୍ଚ ପରିସରରେ ପଚାରିଥିଲେ। ଉତ୍ତରରେ ପୋପ୍ କହିଥିଲେ, ଈଶ୍ବର ମଣିଷକୁ ଅନେକ ଭଲ ଜିନିଷ ଦେଇଛନ୍ତି। ସେଥି ମଧ୍ୟରୁ ସେକ୍ସ ଅନ୍ୟତମ। ସେ କହିଥିଲେ ଯେ ଏଲ୍‌ଜିବିଟି ଲୋକଙ୍କୁ କ୍ୟାଥଲିକ୍ ଚର୍ଚ୍ଚ ଦ୍ୱାରା ସ୍ବାଗତ କରାଯିବା ଉଚିତ। କାରଣ ସମସ୍ତେ ଈଶ୍ୱରଙ୍କ ସନ୍ତାନ। ଈଶ୍ୱର କାହାକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି।

Advertisment

ଈଶ୍ୱର ଆମର ପରମପିତା । ସନ୍ତାନ ଯାହା ବି ହେଉ ତାକୁ ସେ କେବେହେଲେ ପ୍ରତ୍ୟାଖ୍ୟାନ କରିପାରନ୍ତିନି। ତେଣୁ କାହାକୁ ଚର୍ଚ୍ଚରୁ ବାହାର କରିଦେବାର ଅଧିକାର ମୋର ନାହିଁ। ଗର୍ଭପାତ ବିଷୟରେ କହିଲେ ଯେ, ଗର୍ଭପାତ କରିଥିବା ମହିଳାଙ୍କ ପ୍ରତି ପାଦ୍ରୀମାନେ ଦୟା କରିବା ଉଚିତ। କିନ୍ତୁ ଏହି ଅଭ୍ୟାସ ଗ୍ରହଣୀୟ ନୁହେଁ। ଗର୍ଭପାତକୁ କେବେହେଲେ ଯୁକ୍ତିଯୁକ୍ତ ବୋଲି କହିପାରିବୁନି। କାରଣ ଗର୍ଭପାତ ମାନେ ଜନ୍ମ ହୋଇ ନ ଥିବା ଏକ ଶିଶୁର ହତ୍ୟା କରିବା। ସେଥିପାଇଁ ରୋମାନ କ୍ୟାଥଲିକ ଚର୍ଚ୍ଚ ଗର୍ଭପାତକୁ ସବୁବେଳେ ନିନ୍ଦା କରିଆସିଛି। ପୋପ୍‌ଙ୍କର ଉକ୍ତ ମନ୍ତବ୍ୟଗୁଡ଼ିକ ଭାଟିକାନର ସରକାରୀ ଖବରକାଗଜରେ ପ୍ରକାଶ ପାଇଛି।