କନକ ବ୍ୟୁରୋ : ଲୁହରେ ଭିଜିଲା ସହିଦଙ୍କ ଗାଁ । ବୀର ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ଗାଁ । କାନ୍ଦୁଛନ୍ତି ବାପା-ମା ସ୍ତ୍ରୀ ଓ ସମ୍ପକୀୟ । ପୁଂଚ ଆତଙ୍କୀ ଆକ୍ରମଣରେ ସହୀଦ ହୋଇଥିବା ଯବାନଙ୍କ ପାର୍ଥିବ ଶରୀର ଯେତେବେଳେ ଜନ୍ମମାଟିରେ ପହଂଚିଲା, ସେତେବେଳେ ଶୋକାକୂଳ ପରିବେଶରେ ଫାଟି ପଡୁଥିଲା ପୂରା ଅଂଚଳ । ସମସ୍ତଙ୍କ ଆଖି ଲୁହରେ ଭିଜିଯାଉଥିଲା । ମରଶରୀରକୁ ଶେଷ ଥର ପାଇଁ ଦେଖିବା ବେଳେ ପରିବାର ଲୋକେ ଛାତିଫଟାଇ କାନ୍ଦୁଥିଲେ । ବୀର ପୁଅର ଶେଷ ଦର୍ଶନ ପାଇଁ ସାହି କେବଳ ପଡିଶା, କିମ୍ବା ଗାଁ ନୁହେଁ ପୂରା ଜାତୀୟ ରାଜପଥ ହୋଇପଡିଥିଲା ଲୋକାରଣ୍ୟ ।‘ସହୀଦ ଅମର ରହେ ଅମର ରହେ’ ନାରାରେ କମ୍ପୁଥିଲା ପୂରା ପରିବେଶ ।

Advertisment

ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ, ଓ ମନଦୀପ ସିଂଙ୍କୁ ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକେ । ପୂରା ପଞ୍ଜାବ ଏକପ୍ରକାର ଜନସମୁଦ୍ରରେ ପରିଣତ ହୋଇଛି । ଅନ୍ତିମ ବିଦାୟ ବେଳେ ସାମିଲ ହୋଇଥିଲେ ହଜାର ହଜାର ଲୋକେ । ପଞ୍ଜାବର କୁଳୱନ୍ତଙ୍କ ପରିବାର ପୂରା ଭଙ୍ଗିପଡିଛି । ପୂର୍ବରୁ ତାଙ୍କ ବାପା ବଳଦେବ ସିଂ କାର୍ଗିଲ ଯୁଦ୍ଧରେ ସହୀଦ ହୋଇଥିବା ବେଳେ ଏବେ ପୁଅ ମଧ୍ୟ ଦେଶ ପାଇଁ ଜୀବନ ଦେଇଛି ।

ଓଡିଶାରୁ ବୀର ପୁଅ ଆତଙ୍କୀ ଆକ୍ରମଣ ଘଟଣାରେ ସହିଦ ହୋଇଛନ୍ତି ଦେବାଶିଷ ବିଶ୍ୱାଳ । ଶନିବାର ଓଡ଼ିଶାରେ ସହିଦ ପାର୍ଥିବ ଶରୀର ପହଁଚିବା ପରେ ତାଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ଏହା ପରେ ପାର୍ଥିବ ଶରୀରକୁ ଜନ୍ମମାଟି ଅଭିମୁଖେ ନିଆଯାଇଥିଲା । ଜନ୍ମମାଟିରେ ଅପେକ୍ଷା କରି ରହିଥିଲେ ହଜାର ହଜାର ଲୋକେ । ପୂରା ଲୋକାରଣ୍ୟ ପାଲଟିଥିଲା ସତ୍ୟବାଦୀ ।

ସହୀଦଙ୍କ ସ୍ମୃତିକୁ ମନେପକାଇ ଝୁରୁଛି ଗାଁ, ଝୁରୁଛନ୍ତି ସାଙ୍ଗସାଥି ଓ ପରିବାର ।ସେପଟେ ନିଜ ପ୍ରିୟଜନଙ୍କୁ ହରାଇବା ପରେ ପରିବାରର କରୁଛି ଗୋଟିଏ ଦାବି । ଆତଙ୍କବାଦୀଙ୍କୁ ଦିଆଯାଉ କଡ଼ା ଜବାବ ।