ଭୁବନେଶ୍ୱରରେ ପ୍ରଦୂଷିତ ଭୂତଳ ଜଳ। ବିପଦ ଆଣିପାରେ ବୋରୱେଲ ପାଣି!

226

କନକ ବ୍ୟୁରୋ: ଭୁବନେଶ୍ୱରର ପ୍ରଦୂଷିତ ଭୂତଳ ଜଳ । ୬ଟି ଅଞ୍ଚଳ- ଖଣ୍ଡଗିରି, ଓଲଡ ଟାଉନରୁ ସାମନ୍ତାରାପୁର, କଳ୍ପନାରୁ ଲକ୍ଷ୍ମୀସାଗର ଅଞ୍ଚଳ, ଚନ୍ଦ୍ରଶେଖରପୁର, କ୍ୟାପିଟାଲ ହସ୍ପିଟାଲ, ସେକ୍ରେଟାରିଏଟ-ଗଭର୍ଣ୍ଣର ହାଉସ ଓ ପୁରୁଣା ବସ ଷ୍ଟାଣ୍ଡ୍ ଅଞ୍ଚଳରେ ଭୂତଳ ଜଳ କିଛି ମାତ୍ରାରେ ପ୍ରଦୂଷିତ ହୋଇଛି । ଭୁବନେଶ୍ୱରର ଲକ୍ଷ୍ମୀସାଗର ଭଳି ଅଞ୍ଚଳରେ ଲୋକେ ଦିନକୁ ଦୁଇ ଓଳି ପିଏଚଡି ପାଣି ପାଉଥିବା ବେଳେ ବାଧ୍ୟ ହୋଇ ଟ୍ୟୁବୱେଲ ଉପରେ ନିର୍ଭର କରୁଛନ୍ତି । ହେଲେ ଅଧିକାଂଶ ଟ୍ୟୁବୱେଲର ପାଣି ପିଇବା ଉପଯୋଗୀ ନଥିବା ଜଣାପଡିଛି । ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜଳସମ୍ପଦ ବିଭାଗକୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି । ଭୁବନେଶ୍ୱରର ଏହି ଅଞ୍ଚଳଗୁଡ଼ିକରେ ପାଣିରେ ଲୌହ ପରିମାଣ ଓ ନାଇଟ୍ରୋଜେନ ପରିମାଣ ଅଧିକ ରହୁଥିବା ଦେଖାଯାଇଛି । ବୋରୱେଲ ପାଣି ବ୍ୟବହାର କରୁଥିବା ରାଜଧାନୀବାସୀ ମଧ୍ୟ ବ୍ୟବହାର କରୁଥିବା ପାଣିକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ।

କେବଳ ଭୁବନେଶ୍ୱର ନୁହେଁ ସାରା ରାଜ୍ୟର ୯୧ଟି ସ୍ଥାନରେ ଭୂତଳ ଜଳ ପ୍ରଦୂଷିତ ହୋଇପଡ଼ିଥିବା ଚିହ୍ନଟ କରାଯାଇଛି । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ରିପୋର୍ଟ ଆଧାରରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଏହି ୯୧ଟି ସ୍ଥାନର ଭୂତଳ ଜଳ ସମ୍ପର୍କରେ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ପରାମର୍ଶ ଦେଇଛି ।

ରାଜ୍ୟର ୧୨୪୩ଟି ଅଞ୍ଚଳର ନମୁନାକୁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପରୀକ୍ଷା କରିଥିବା ବେଳେ ସେଥିରୁ ଭୁବନେଶ୍ୱରର ୬ଟି ଅଞ୍ଚଳ ସମେତ ରାଜ୍ୟର ୯୧ଟି ନମୁନା ବିଭିନ୍ନ କାରଣରୁ ପ୍ରଦୂଷିତ ହୋଇପଡ଼ିଥିବା କୁହାଯାଇଛିି । ବହୁତଳପ୍ରାସାଦ ନିର୍ମାଣ ସହ ଭୂତଳ ଜଳର ବେଆଇନ ବ୍ୟବହାର ଏବଂ ଗ୍ରାଉଣ୍ଡ ୱାଟର ରିଚାର୍ଜ ପାଇଁ ପଦକ୍ଷେପ ନ ନେବା ଯୋଗୁ ଏହି ସମସ୍ୟା ଦିନକୁ ଦିନ ଗୁରୁତର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।