ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ପଛର ବିନ୍ଧାଣୀ କିଏ? ଶ୍ରେୟ ନେବାକୁ ହେଉଛି କି ଟ୍ୱିଟର ପୋଷ୍ଟ?

200

କନକ ବ୍ୟୁରୋ : ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ । ଗୋଟିଏ ପଟେ ପୁରୀରୁ ମୁଖ୍ୟମନ୍ତ୍ରୀଙ୍କ କଡା ବାର୍ତ୍ତା, ଆଉ ଅନ୍ୟପଟେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଓଡ଼ିଶାର ସାଂସଦ ମାନେ ଭେଟିବା ପରେ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହୃତ କରାଯାଇଛି । କିନ୍ତୁ ଏହି ବାଇ-ଲ ପ୍ରତ୍ୟାହୃତ ହେବା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତିର ଚର୍ଚ୍ଚା ।  କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳାଇବା ପଛର ଶ୍ରେୟ କାହା ପାଖକୁ ଯିବ ତାହାକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଉଭୟ ବିଜେପି-ବିଜେଡିର ସାଂସଦ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ  । କିନ୍ତୁ ଏକାଠି ନୁହେଁ ବରଂ ଅଲଗା ଅଲଗା ହୋଇ । ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କରିଥିବା ଟ୍ୱିଟରେ,  ଗୋଟିଏ ଫଟୋରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସହ ବିଜେପିର ଉଭୟ ରାଜ୍ୟସଭା ଓ ଲୋକସଭାର କିଛି ସାଂସଦ ତାଙ୍କୁ ଭେଟିବା ସହ ପୁରୀ ସମ୍ବନ୍ଧୀୟ ପ୍ରସ୍ତାବିତ ବାଇ-ଲ ବାବଦରେ ଆଲୋଚନା କରିଥିଲେ । ବିଜେପି ସାଂସଦଙ୍କ ସହ ଆଲୋଚନା ପରେ ଏହି ବାବଦରେ ଆସିଥିବା ନୋଟିଫିକେସନ ଏନଏମଏର ଚେୟାରମ୍ୟାନଙ୍କ ଅଜାଣତରେ ଜାରି କରାଯାଇଥିଲା ଯାହାକୁ ପ୍ରତ୍ୟାହୃତ କରାଗଲା ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହି ଟ୍ୱିଟ୍ ଠିକ୍ ଅପରାହ୍ନ ୧୨ଟା ୫୩ ମିନିଟ୍ ସମୟରେ କରିଥିଲେ ।

ଆଉ ଠିକ୍ ୧୧ ମିନିଟ୍ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଆଉ ଏକ ଟ୍ୱିଟ୍ ଆସିଲା ଯେଉଁଥିରେ ପ୍ରହଲ୍ଲାଦ ସିଂ ପଟେଲ ବିଜେଡିର ସାଂସଦଙ୍କ ସହ ଥିବାର ଦେଖିବାକୁ ମିଳିଥିଲା । ସେହି ସମାନ ବିଷୟବସ୍ତୁକୁ ଧରି ବିଜେଡି ସାଂସଦ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ, ଆଉ ପ୍ରହଲ୍ଲାଦ ମଧ୍ୟ ଏହି ବାଇ-ଲକୁ ପ୍ରତ୍ୟାହୃତ ନିର୍ଦ୍ଦେଶ ଦେଇଥିବା ଦେଇଥିବା ନେଇ ବିଜେଡି ସାଂସଦଙ୍କୁ କହିଥିଲେ । ଏପରିକି ଆଗକୁ ପୁରୀକୁ ନେଇ କୌଣସି କାର୍ଯ୍ୟ କରାଗଲେ ତାହା ସମସ୍ତଙ୍କର ସହମତିରେ ହେବ ବୋଲି ବିଜେଡି ସାଂସଦଙ୍କୁ କହିଥିଲେ ପ୍ରହଲ୍ଲାଦ । ଆଉ ଏହାପରେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ବାଇ-ଲ ପ୍ରତ୍ୟାହୃତ ହୋଇଥିବା ନେଇ ଖବର ବାଜିଲା ।

କିନ୍ତୁ ପ୍ରଶ୍ନ ଉଠୁଛି, ସମାନ ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀଙ୍କୁ ଅଲଗା ଅଲଗା ହୋଇ ଭେଟିବା ପଛର କଣ ରହିଛି ବଡ କାରଣ? ଉଭୟ ଦଳର ନେତା ଚାହିଁଥିଲେ ଏକସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖିପାରିଥାନ୍ତେ । ଯେହେତୁ ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା ଏବଂ ଶ୍ରୀମନ୍ଦିରର ବିକାଶ ସହ ଏହି ପ୍ରସଙ୍ଗ ଜଡିତ ରହିଥିଲା ତେଣୁ ଏକାସାଥୀରେ ଯିବାରେ କଣ ବା ସମସ୍ୟା ରହିଥିଲା । କାରଣ ଉଭୟ ଦଳର ନେତା ରାଜ୍ୟବାସୀଙ୍କ ହକ୍ ତଥା ରାଜବାସୀଙ୍କ ସ୍ୱାର୍ଥ ସହ ଜଡିତ ରହିଥିବା ପ୍ରସଙ୍ଗରେ ଏକ ହୋଇ ଲଢେଇ କରିବାକୁ ଅନେକ ଥର ଆହ୍ୱାନ ଦେଇଛନ୍ତି । ଆଉ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକାଠି ଭେଟିବାକୁ ଯାଇଥିଲେ ହୁଏତ ରାଜ୍ୟବାସୀଙ୍କ ହକର ଲଢେଇରେ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଉଭୟ ଦଳ କାମ କରୁଛନ୍ତି ବୋଲି ଏକ ବାର୍ତ୍ତା ଯାଇଥାନ୍ତା ।   କିନ୍ତୁ ଏଭଳି କରିବା ପରିବର୍ତ୍ତେ  ନିଜ ଦଳୀୟ ସାଂସଦଙ୍କୁ ଧରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବା ପଛରେ ଲୁଚି ରହିଥିଲା କି ଶ୍ରେୟ ରାଜନୀତି? ଏଭଳି ଏକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ଏକଥା ଏଥିପାଇଁ କୁହାଯାଉଛି କାରଣ, ଏହି ବାଇ-ଲ ପ୍ରତ୍ୟାହୃତ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ଆମ ଦଳର ସାଂସଦଙ୍କ ସହ ପ୍ରସ୍ତାବିତ ବାଇ-ଲକୁ ସ୍ଥଗିତ ରଖିବାକୁ ଆଲୋଚନା ପରେ ଏହାକୁ ସଙ୍ଗେ ସଙ୍ଗେ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ସେଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଧର୍ମେନ୍ଦ୍ର । ସେହିଭଳି ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବିଜେଡି ସାଂସଦ ଭେଟି ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହୃତ କରିବାକୁ ଦାବି ଜଣାଇଥିବା ବେଳର ଫଟୋ ପୋଷ୍ଟ କରିଥିବା ବେଳେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି, ଗତକାଲି ଏହି ବାଇ-ଲକୁ ପ୍ରତ୍ୟାହୃତ କରିବାକୁ ୨୪ ଘଣ୍ଟା ସମୟ ଦେଇଥିଲୁ । ଆଉ ଆଜି ଏହି ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହୃତ କରିବା ମୋତେ ଖୁସି ଦେଇଛି ବୋଲି କହିଛନ୍ତି ଅମର । ଯାହା ଦର୍ଶାଉଛି ଯେ, ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହେବା ପରେ ଏହାର ଶ୍ରେୟ କିଏ ନେବ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।