ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି: ଗଜପତିଙ୍କ ବୟାନକୁ ନେଇ ବିଜୟ ମହାପାତ୍ରଙ୍କ ପ୍ରଶ୍ନ

90

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ କୌଣସି ଅନୁମତି ଦେଇନାହିଁ ବୋଲି ଆରଟିଆଇ ତଥ୍ୟରୁ ଜଣାପଡିବା ପରେ ଏଏସଆଇ ଉପରେ ବର୍ଷିଛନ୍ତି ବିଜୟ ମହାପାତ୍ର । ସୂଚନା ଅଧିକାରୀଙ୍କୁ ଏଏସଆଇ ଯେଉଁ ତଥ୍ୟ ଦେଇଛି, ହାଇକୋର୍ଟରେ ସେହି ଉତର କାହିଁକି ରଖିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏପରିକି ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ଗଜପତି ମହାରାଜଙ୍କ ବାୟନ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ଐତିହ୍ୟ କରିଡର ନାଁରେ ଖନନ ଓ ନିର୍ମାଣ ଫଳରେ ଶ୍ରୀମନ୍ଦିର ପ୍ରତି କିଛି ବିପଦ ଅଛି କି ନାହିଁ ତାହା ବିଶେଷଜ୍ଞମାନେ କହିପାରିବେ ବୋଲି ମତ ରଖିଛନ୍ତି ବିଜୟ ମହାପାତ୍ର ।

ଏପଟେ ଗଜପତିଙ୍କ ବୟାନକୁ ଆଧାର କରି ବିରୋଧୀଙ୍କୁ ଟାର୍ଗେଟ କରିଛି ବିଜେଡି । ହେଲେ ପୁରା ପ୍ରସଙ୍ଗରେ ରାଜ୍ୟ ବିଜେପିର ଭୂମିକା କିନ୍ତୁ ଦ୍ୱନ୍ଦ୍ୱାତ୍ମକ ରହିଛି । କିଛିଦିନ ତଳେ ରାଜ୍ୟ ବିଜେପି ସଭାପତିଙ୍କଠୁ ଆରମ୍ଭ କରି ଦଳର ଛାମୁଆ ନେତାମାନେ ହାତରେ ପୋଷ୍ଟର ଧରି ହାସଟ୍ୟାଗ ସେଭ ଶ୍ରୀମନ୍ଦିର ନାଁରେ କ୍ୟାମ୍ପେନ ଚଳାଇଥିଲେ ।

ସମ୍ବିତ ପାତ୍ର ସୋସିଆଲ ମିଡିଆ ପୋଷ୍ଟ… ଏବେ କିନ୍ତୁ ଏଏସଆଇର ପଦକ୍ଷେପକୁ ଅପେକ୍ଷା କରିବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର । ଭକ୍ତଙ୍କ ବିକାଶ ଓ ସୁବିଧା ପାଇଁ ବିଜେପି ସବୁବେଳେ ଚିନ୍ତା କରିଆସିଛି । ଲିଙ୍ଗରାଜ ମନ୍ଦିର ନିକଟରେ ବେଆଇନ ଖନନକୁ ବିଜେପି ବିରୋଧ କରିବା ପରେ ଏଏସଆଇ ହସ୍ତକ୍ଷେପ କରିଥିଲା । ତେଣୁ ପୁରୀ ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟରେ ଏଏସଆଇ କଣ କହୁଛି ତାକୁ ଅପେକ୍ଷା କରିବାକୁ କହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଯେତେବେଳେ ସାଂସଦ ଅପରାଜିତା ସ୍ୱର ଉଠାଉଥିଲେ ସେତେବେଳେ ଚୁପ ଥିଲା ରାଜ୍ୟ ବିଜେପି । ପରେ ସେଭ ଶ୍ରୀମନ୍ଦିର ନାଁରେ କ୍ୟାମ୍ପେନ ଆରମ୍ଭ କଲା । ଆଉ ଏବେ ପୁଣି ବିବାଦ ଆଗକୁ ବଢୁଥିବାବେଳେ ଧୌର୍ଯ୍ୟର ସହ ଅପେକ୍ଷା କରିବାକୁ କହିଛନ୍ତି ରାଜ୍ୟ ନେତୃତ୍ୱ ।