ଏମଏସପି ବୃଦ୍ଧିକୁ ନେଇ ବିଜେଡି-ବିଜେପି ତୁ ତୁ ମେ ମେ । ବିଜେଡି କହିଲା ଓଡ଼ିଶା ପାଇଁ ହେବନି ଲାଭ, ବିଜେପିର ଦାବି ଧାନ ଉପରେ ବୋନସ ଦିଅନ୍ତୁ ରାଜ୍ୟ ସରକାର ।

129

କନକ ବ୍ୟୁରୋ : କେନ୍ଦ୍ର ସରକାର ଖରିଫ ଫସଲରେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇ ଥିବାବେଳେ ଏହା ରାଜ୍ୟ ସରକାରଙ୍କୁ ଖୁସି କରିପାରି ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ୨୦୧୭ରୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି ରାଜ୍ୟ ସରକାର । ହେଲେ ଗତକାଲି ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ମାତ୍ର ୧୦୦ ଟଙ୍କା ବୃଦ୍ଧି କରିବା ନୈରାଶ୍ୟଜନକ ବୋଲି ବିଜେଡି କହିଛି । ସେପଟେ କଂଗ୍ରେସ ମଧ୍ୟ ଧାନର ଏମଏସପି ମୂଲ୍ୟରେ ଅସନ୍ତୋଷ ପ୍ରକାଶ କରିଛି ।

ରାଜ୍ୟ ସରକାରଙ୍କ ଦୁଇଜଣ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ଖୁସି କରିପାରିନି କେନ୍ଦ୍ରର ଏମଏସପି ବୃଦ୍ଧି । ଦୁହେଁ ସମ ସ୍ୱରରେ କେନ୍ଦ୍ର ସରକାରଙ୍କ ସହାୟକ ମୂଲ୍ୟ ବୃଦ୍ଧିକୁ ନେଇ ଅସନ୍ତୋଷ ଝାଡିଛନ୍ତି । ୨୦୧୭ ମସିହାରୁ ଏମଏସପି ଶାସକ ଦଳ ପାଇଁ ଏକ ବଡ ଅସ୍ତ୍ର ପାଲଟିଛି । ଏପରିକି ୨୦୧୯ ସାଧାରଣ ନିର୍ବାଚନ ହେଉ କିମ୍ବା ୨୦୨୨ରେ ପଂଚାୟତ ଓ ପୌର ନିର୍ବାଚନ । ଏହି ପ୍ରସଙ୍ଗକୁ ଧରି ଓଡିଶାର ରାଜରାସ୍ତାରୁ ଆରମ୍ଭ କରି ଦିଲ୍ଲୀ ସଂସଦରେ ମଧ୍ୟ କେନ୍ଦ୍ରକୁ ଶାଣିତ ଆକ୍ରମଣ କରିଛି ବିଜେଡି । ଓଡିଶାକୁ ଏମଏସପି ହକ ମିଳୁ କି ନମିଳୁ ଏହି ମୁଦ୍ଦାକୁ ଲୋକଙ୍କ ପାଖରେ ପହଂଚାଇ ଭୋଟ ରାଜନୀତିକୁ ପ୍ରଭାବିତ କରିଛି ବିଜେଡି ।

୨୦୧୭ ମସିହାରେ ବିଧାନସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିଲା ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରିବା । ଏଥିସହ ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କରିବା ପାଇଁ କେନ୍ଦ୍ର ଉପରେ ଚାପ ପକାଇବା । ସେତେବେଳେ ପ୍ରଧାନମନ୍ତ୍ରୀ ସମୟ ଦେଇନଥିବାବେଳେ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ବିଜେଡି ଦାବି କରିଥିଲା । ପ୍ରତିବର୍ଷ କେନ୍ଦ୍ର କ୍ୟାବିନେଟରେ ଏମଏସପି ବୃଦ୍ଧି କରାଯାଉଥିଲେ ମଧ୍ୟ ଦାବି ପୂରଣ ହୋଇପାରୁନି । ଗତକାଲି କେନ୍ଦ୍ର କ୍ୟାବିନେଟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରି ୨୦୪୦ ଟଙ୍କାରେ ପହଂଚିଛି । ତେଣୁ ପୁଣିଥରେ କେନ୍ଦ୍ର ବିରୋଧୀ ସ୍ୱରକୁ ଟାଣ କରିଛି ବିଜେଡି ।